‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ମାର୍ଗଦର୍ଶିକା ଜାରି, ବିଧବା ପୁନଃବିବାହକୁ ମିଳିବ ସହାୟତା

ଭୁବନେଶ୍ୱର: ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ବିସ୍ତୃତ ମାର୍ଗଦର୍ଶିକା ଜାରି କରିଛନ୍ତି। ଆର୍ଥିକ ଦୁର୍ବଳ ପରିବାରର କନ୍ୟାଙ୍କ ବିବାହ ପାଇଁ ଆର୍ଥିକ ସହାୟତା ସହ ବାଲ୍ୟବିବାହ ଓ ଯୌତୁକ ପ୍ରଥା ରୋକିବା ଏବଂ ବିଧବା ପୁନଃବିବାହକୁ ପ୍ରୋତ୍ସାହନ ଦେବା ଏହି ଯୋଜନାର ଉଦ୍ଦେଶ୍ୟ। ମହିଳା ଓ ଶିଶୁ ବିକାଶ ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି।

ଯୋଜନାରେ ପ୍ରତି ଯୋଗ୍ୟ କନ୍ୟାଙ୍କୁ ୬୦ ହଜାର ଟଙ୍କା ସହାୟତା ମିଳିବ। ଏଥିରୁ ୪୫ ହଜାର ଟଙ୍କା କନ୍ୟାଙ୍କ ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ଦିଆଯିବ। ବିବାହ ପଞ୍ଜୀକରଣର ୭ କାର୍ଯ୍ୟଦିବସ ମଧ୍ୟରେ ଏହି ଅର୍ଥ ପ୍ରଦାନ କରାଯିବ। ଅବଶିଷ୍ଟ ୧୫ ହଜାର ଟଙ୍କା ବିବାହ ଆୟୋଜନ ସମ୍ପର୍କିତ ବ୍ୟବସ୍ଥା ପାଇଁ ଆୟୋଜନକାରୀ ସଂସ୍ଥାକୁ ଦିଆଯିବ।

ଓଡ଼ିଶାର ସ୍ଥାୟୀ ବାସିନ୍ଦା ଦମ୍ପତି ଏହାର ଲାଭ ପାଇପାରିବେ। ବରଙ୍କ ବୟସ ୨୧ରୁ ୩୫ ବର୍ଷ ଏବଂ କନ୍ୟାଙ୍କ ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ପ୍ରଥମ ବିବାହ କରୁଥିବା ଦମ୍ପତିଙ୍କୁ ଅଗ୍ରାଧିକାର ମିଳିବ। ତେବେ ବିଧବାଙ୍କ ପୁନଃବିବାହ ମଧ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ହେବ।

ଆବେଦନ ସଂଖ୍ୟା ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ଅଧିକ ହେଲେ ପ୍ରାଥମିକତା ଭିତ୍ତିରେ ହିତାଧିକାରୀ ଚୟନ କରାଯିବ। ଏଥିରେ ପ୍ରଥମେ ବିଧବା, ପରେ ଦିବ୍ୟାଙ୍ଗ, ଅନାଥ, PVTG, ST ଓ SC ବର୍ଗ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ବାର୍ଷିକ ଆୟ ୬୦ ହଜାର ଟଙ୍କାରୁ କମ୍‌ ଥିବା ପରିବାରକୁ ପ୍ରାଥମିକତା ଦିଆଯିବ।

ଯୋଜନାରେ ସାମିଲ ହେବା ପାଇଁ ବିବାହ ତାରିଖର ଅତି କମ୍‌ ୬୦ ଦିନ ପୂର୍ବରୁ ଚୟନ ପ୍ରକ୍ରିୟା ଶେଷ କରାଯିବ। ଜିଲ୍ଲାସ୍ତରରେ ଆୟୋଜିତ ସାମୂହିକ ବିବାହରେ କେବଳ ଅନୁମୋଦିତ ଦମ୍ପତିଙ୍କୁ ସାମିଲ କରାଯିବ। ବିବାହ ପରେ ରେଜିଷ୍ଟ୍ରାର ଅଫ୍‌ ମ୍ୟାରେଜେସ୍‌ଙ୍କ ଉପସ୍ଥିତିରେ ବିବାହ ପଞ୍ଜୀକରଣ କରାଯିବ।

Related posts