ସ୍ମୃତି ଏକ କୁଆଁ ତାରା

ଲଙ୍କା ଆମ୍ବ କଥା କହିଲା ବେଳେ ମନ ପଡ଼ିଯାଏ ପିଲା ଦିନ କଥା। ଖରା ଦିନ ଆସିଲେ ଦାଣ୍ଡରେ ଡାକ ପଡ଼େ ତାଳ, ଆଉ ଲଙ୍କା ଆମ୍ବ। ଆମେ ସବୁ ଛୋଟ ଛୋଟ ପିଲା ଦୌଡ଼ି ଯାଉ ଦାଣ୍ଡକୁ। ମାଆ ରଡ଼ି ଛାଡେ “ଆଲୋ ଘୋଡ଼ିଙ୍କ ପରି ଖରା ଟାରେ ଦାଣ୍ଡକୁକିଆଁ ଧାଉଁଛୁ? କଣ କିଏ କୃଷ୍ଣ ଆସିଲେ କି?”। ସେତେବେଳେ ଏ ଗୁଡ଼ିକର ଅର୍ଥ ବୁଝିବା ଟିକେ କଷ୍ଟ ହେଲେ ବି ଏତିକି ବୁଝିଥିଲିି ତାଳ ବାଲା କି ଲଙ୍କା ଆମ୍ବ ବାଲାକୁ ଏମିତି କହୁ ଥିବ। କେଜାଣି ସେମାନଙ୍କ ଭିତରୁ କାହା ନାଁ କୃଷ୍ଣ ହୋଇଥିବାର ମାଆ ଜାଣି ଥିବପରା।ପ୍ରଥମେ ଯେବେ ଲଙ୍କା ଆମ୍ବ ନାଁ ଶୁଣିଲି ସେତେବେଳେ ମନରେ ମୋର ପ୍ରଶ୍ନ ଆସିଥିଲା ଯେ ଆମ୍ବ ତ ଆମ୍ବ ପୁଣି ଲଙ୍କା ଆମ୍ବ କଣ।ମୋ ମାଆ ମୋତେ ବୁଝାଇଦେଇ ଥିଲା ଯେ. “ସୀତାଙ୍କୁ ଚୋରେଇ ସେଇ ଲଙ୍କା ରାଇଜକୁ ରାବଣ ନେଇଥିଲା ଓ ସେଇଠି ଲୁଚାଇ ରଖିଥିଲା। ରାମ ଚନ୍ଦ୍ର ଯୁଦ୍ଧକରି ରାବଣ କୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା କୁ ଫେରିଲା ବେଳେ ଲଙ୍କା ଗଡ଼ ର ବଗିଚାରୁ ମାଙ୍କଡ ମାନେ ଏଇ ଆମ୍ବକୁ ନେଇ ଆସିଥିଲେ। ଲଙ୍କାରୁ ଆସିଥିଲା ବୋଲି ତା ନାଁ ଲଙ୍କା ଆମ୍ବ।”ସେ ଯାହା ହୋଇଥାଉ ମୁଁ କିନ୍ତୁ ସେଇ ପିଲା ଦିନରୁ ମାଆ କହିଥିବା କଥା ଟି ମନ ରଖିଛି। ତେଣୁଦିନେ ମନକଲି ସେ ଲଙ୍କା ଆମ୍ବ ଦେଖିବି ଓ ଚାଖିବି।ଆଜିକାଲି ପରି ସେତେବେଳେ ଟଙ୍କା ପଇସା ଟିକେ କମ୍ ଥିଲା। ଯାହା ଘରେ କେହି ଚାକିରି କରିଥିବେ ସେମାନେ କେବଳ ଟଙ୍କା ପଇସା କାରବାର କରୁଥିଲେ। କିନ୍ତୁ ଅନ୍ୟମାନେ ଯେଉଁ ମାନେ ଚାଷ ଉପରେ ନିର୍ଭର କରି ଚଳୁଥିଲେ ସେମାନେ ଧାନ ଚାଉଳକୁ ଦେଇ ଜିନିଷ ପତ୍ର କିଣା କିଣି କରୁଥିଲେ। ଗାଁ ଦାଣ୍ଡ କୁ କିଛି ବିକା ଆସିଲେ ସମସ୍ତେ ସେଇ କୃଷି ଜାତ ଦ୍ରବ୍ୟ ଦେଇ କିଣୁୁ ଥିଲେ। ଆଇସ୍କ୍ରୀମ, ବମ୍ବେଇ ମିଠେଇ ସୁନ ପାମ୍ପୁଡ଼ି, ତାଳ ସଜ ଓ ଲଙ୍କା ଆମ୍ବ ଯାହା ବିକା ଆସେ ଘରୁ ବୋଉ ପାଖରୁ ଚାଉଳ ନେଇ କିଣି ଖାଉ।ଯେଉଁ ଦିନ ପ୍ରଥମେ ବୋଉ ପାଖରୁ ଚାଉଳ ନେଇ ଲଙ୍କା ଆମ୍ବ କିଣିଲି ସେଦିନ ମୋର ଖୁସି କହିଲେ ନ ସରେ। ସରଗରୁ ଚାନ୍ଦ ପାଇଲା ପରିଲାଗୁଥିଲା। କିଣି କି ଆଣିଲି ଭାରି ସୁନ୍ଦର। ହଳଦିଆ ରଙ୍ଗର ଓ ଲାଲ୍ ରଙ୍ଗର ମଧ୍ୟ ଥିଲା। ଭାରି ଖୁସି ହୋଇଗଲି। ଚାଙ୍ଗୁଡ଼ି ରେ ରଖି ସମସ୍ତଙ୍କୁ ଟିକେ ଟିକେ ଦେଖେଇ ଦେଲି। ପାଟିରେ ଚୋବେଇ ଶୋଷାଡ଼ି ଖାଇବାକୁ ଲାଗିଲି । ମାଆ ମୋର ମୋ ଉପରେ ଟିକେ ବିରକ୍ତ ହୋଇଥିଲା “କ’ଣ ଲାଗୁଚି ଲୋ ଝୁଣି ପକାଉଛୁ। ତଣ୍ଟି ଗତ ଗତ ହେବ।”ମୁଁ କିନ୍ତୁ ତା କଥାକୁ କାନ ଦେଇ ନ ଥିଲି। ଅବଶ୍ୟ ଖାଇ ସରିଲା ପରେ ତଣ୍ଟି ଟିକେ ଗତ ଗତ ହେଲା କିନ୍ତୁ ସେତେଟା ଗୁରୁତ୍ଵ ଦେଇ ନ ଥିଲି।ଏମିତି କିଚି ଦିନ ଗଲା। ପ୍ରତି ବର୍ଷ ଖରା ଦିନେ ଏମିତି ବିକା ଆସେ ଆଉ ଆମେ ଏମିତି କିଣି ଖାଉ। ଥରେ ଲଙ୍କା ଆମ୍ବ ବୋଧେ ଟିକେ କଞ୍ଚା ଥିଲା। ତଣ୍ଟି ବେଶି ଗତ ଗତ ହେଲା। ମୁଁ ଟିକେ ଟିକେ କାମୁଡି ଦେଇ ଫୋପାଡି ଦେଲି। ମାଆ କିନ୍ତୁ ସେ ଥର ଖୁବ୍ ବିରକ୍ତ ହୋଇ ଥିଲା। “ଚାଉଳ ଶସ୍ତା ହେଇଛି। ଟୋକି ଚାଉଳ ଗଣ୍ଡେ ନେଇ ଗଲା ଆଉ ଫୋପାଡି ଦେଲା ଆମ୍ବ ତକ। ବୋପାର ଗେଲୀ ଝିଅ ନା। ଆଉ ଏଥର ଆସୁ। ମୁଁ ଦେଖିବି ତୁ କିମିତି କିଣିବୁ?” । ସେତେବେଳେ ତା ଉପରେ ଖୁବ୍ ରାଗି ଥିଲି। କାରଣ ତା’ର ମାନସିକତା ବୁଝିବାକୁ ମୋର ବୟସ ହୋଇ ନ ଥିଲା। ଏବେ ମୁଁ ପରିପକ୍ବ ବୟସରେ ବୁଝି ପାରୁଛି।ପୁଣି ଯେଉଁ ଦିନ ଲଙ୍କା ଆମ୍ବ ବିକା ଆସିଲା ମୋ ମନ ଟା କେମିତି କେମିତି ହେଲା। ମାଆ ତ ମନା କରିଛି । କ’ଣ କରିବି?। କେମିତି କିଣିବି? ଚିନ୍ତାରେ ପଡ଼ିଗଲି। ଖାଲି ଦାଣ୍ଡକୁ ଯାଉଛି ଘରକୁ ଆସୁଛି। ଏମିତି ରେ କେତେ ସମୟ ଗଲା। ବିକାଳି ଲୋକଟି ଦାଣ୍ଡରେ ଥିବା ପାଳଧୁଆ ଗଛଛାଇରେ ଠିଆହୋଇ ଥିଲା।ସାଇପିଲାସବୁକିଣୁୂଥାଆନ୍ତି। ଲୋକଟି ମୋତେ ଦେଖି ପଚାରିଲା “ଝିଅ ଆଜି ଲଙ୍କା ଆମ୍ବ ଖାଇବନି କି”? ମୁଁ ମୁଣ୍ଡ ଟୁଙ୍ଗାରି ଘରକୁ ଆସିଲି। ସାନ ମାଆ(ବାପାଙ୍କ ଖୁଡ଼ି) କହିଲା “ଆଜି କଣ ଟୋକି ମୁଁହ ଶୁଖାଇ ଠିଆ ହେଇଚି। ଲଙ୍କା ଆମ୍ବ ନାଗର ଦୁଆର ଗଛ ଛାଇରେ ଠିଆ ହେଇଛି। ଅପା (ମୋ ମାଆ) ସେ ଦିନ ମନା କରିଥିଲେ ବୋଲି ଟୋକି ଆଜି ମନ କରୁନି। ହାଇଲୋ ତୋ ମାଆ ତ ଗୁହାଳ ଘରେ ଗାଈ ଦୁହୁଁଚି ଆଉ ତୋ ଜେଜେ ମା ନଈ କି ଯାଇଛି। ମୁଁ ଠିଆ ହେଇଛି।ତୁ ଯାଆ ଚାଉଳ ନେଇ ଲଙ୍କା ଆମ୍ବ କିଣିବୁ। ” ମଉଳି ଯାଇ ଥିବା ଆଶା ମୋ ମନରେ ପୁଣି କେନା ମେଲିଲା। ଚାରି ଆଡକୁ ଟିକେ ଚାହିଁ ସାହସ ବାନ୍ଧି ଘର ଭିତରକୁ ପଶିଗଲି। ଗୋଟେ ବଡ଼ ଗିନାରେ ଗିନେ ଚାଉଳ ବସ୍ତା ଭିତରୁ ଧରି ଦୌଡ଼ି ଗଲି ଦାଣ୍ଡକୁ।ଏବେ ଲଙ୍କା ଆମ୍ବ କିଣା ସରିଲା। କିନ୍ତୁ କେମିତି ଆଉ କୋଉଠିଖାଇବି ଏଇ ଚିନ୍ତାରେ ରହିଲି। ନେଇ ଆଣି ଥୋଇ ଜାଣିଲେ ଚୋରି କାମ ଭଲ। ତାକୁ ନେଇ ଢ଼ିଙ୍କି ଶାଳରେ ରଖିଦେବି ଏବଂ ସୁବିଧା ଦେଖିବାରି ଆଡେ଼ ଯାଇ ଖାଇ ଦେବି ଭାବି ଢିଙ୍କି ଶାଳରେ ଲୁଚେଇ ରଖିଲି। ବୋଉ ର ଗାଈ ଦୁହଁାସରିଲା। ହାତ ଗୋଡ ଧୋଇ ହୋଇ ସେ ତା କାମରେ ଲାଗିଲା। ଏଣେ ଆମ ବୁଢ଼ୀ ମାନେ ମାଆ ମ ସେ କାଣ୍ଡ ଟିଏ କଲା। ଘର ଭିତରକୁ ଗଲା ପାନ ବଟା ଆଣି ପାନ ଭାଙ୍ଗିବାକୁ। ଘର ସାରା ଚାଉଳ ବିଞ୍ଚି ହେବାର ଦେଖି ସେ ଚିତ୍କାର କରିଦେଲା। ଚାଉଳ ଗଣ୍ଡେ ପଡ଼ି ଯାଇଛି ଏତେ କମ୍ପେଇବାର କଣ ଥିଲା। ଚାଉଳ ଗଣ୍ଡେ ପଡ଼ିଗଲା ବୋଲି କଣ ବେଦ ଅଶୁଦ୍ଧ ହୋଇଗଲା। ତର ତର ହୋଇ ମୁଁ ଯେଉଁ ଚାଉଳ ଗିନା ଭରତ୍ତି କରି ନେଇଥିଲି ସେଥିରୁ ବୋଧେ କିଛି ଖସି ପଡ଼ିଛି। ତା ପାଟି ଶୁଣି ମୋ ପିଳେହି ପାଣି। ଚାଉଳ କିଏ କେମିତି କାହିକି ପକେଇଲା ସେ ଅନୁସନ୍ଧାନ କରିବାରେ ଲାଗି ପଡ଼ିଲା। ଏତେଗବେଷଣା ରେ ଲାଗି ପଡ଼ିଲା ଯେ ଏବେ ହୋଇ ଥିଲେ ତା ନାଁ ପୂର୍ବରୁ ଡ଼ ଟିଏ ଲଗେଇଥନ୍ତା। ଶେଷକୁ ଆମ ସାଂଘାତିକ ସାନବୁଢ଼ୀ ଖୋଲିଲା ପେଡ଼ି।”ଛୋଟି ଥାଉ ଥାଉ ବାରି ଦୁଆରେ ଆଉ କିଏ ବସିବ। ଲଙ୍କା ଆମ୍ବ ବିକା ଆସିଥିଲା ତ…………..।”ଏଇ ପଦକ କଥାରେ ଆମ ବୁଢ଼ୀ ମୋ ଆଡ଼କୁ ଧୂପୁସି ଆସିଲା। କାନ ଟା ମୋଡ଼ିଦେଇ ଆରମ୍ଭ କଲା ତା’ର ବକ୍ତବ୍ୟ।”କିଲୋ ଟୋକି ଚୋରି କଲୁ ଘରୁ। ପୁଣି ଚାଉଳ। ତୋର ଏଡେ ଲଙ୍କା ଆମ୍ବ ଖିଆ ପାଟି। ମୋ ଘରୁ ଲକ୍ଷ୍ମୀ ଛଡେଇ ଦେଲୁ।” ଇତ୍ୟାଦି ଇତ୍ୟାଦି କେତେ କ’ଣ। ସମସ୍ତଙ୍କର ମୋ ଉପାରେ ଗାଳି ବର୍ଷୁଥାଏ।ନୀରବରେ ମୁଁହପୋତି ଠିଆ ହୋଇ ରହିଲି।ସାନ ବୁଢ଼ୀ ଊପରେ ସବୁ ରାଗ ଠୁଳ ହୋଇରହୁଥାଏ। ମୋତେ ବତେଇଦେଲା ପୁଣି ଏପଟେ ଲଗେଇ ଦେଲା। ଭଲ ଖେଳ ଟିଏ ଖେଳିଲା। ପିଲା ମନ। କେମିତି ବା ଚିହ୍ନି ଥାଆନ୍ତି ତାକୁ। ଅବଶ୍ୟ ସେହିଦିନୁ ତାକୁ ଚିହ୍ନି ବାକୁ ବାକିରହିଲାନି। ମଲା ଯାଏଁ ସେ ସେହିପରି, ମୁଁ ଅନୁଭବ କରିଛି। ମଣିଷ ମାତ୍ରକେ ପ୍ରକୃତି ଗୋଟିଏ। ରାଗରେ ତାକୁ କେତେ ଦିନ ପର୍ଯ୍ୟନ୍ତ କଥା ବାର୍ତ୍ତା କଲିନି।ମୁଁ କିନ୍ତୁ ବହୁତ ଅନୁତାପ କରିଛି। କେବେ ଆଉ ଲଙ୍କା ଆମ୍ବ ପ୍ରତି ଦୃଷ୍ଟି ଦେବିନି କିମ୍ବା ଦାଣ୍ଡକୁବିକା ଆସୁଥିବାକୌଣସି ଜିନିଷ କେବେ ବି କିଣିବାକୁ ମନକରିବିନି। ସେହଦିନଠାରୁ ଲଙ୍କା ଆମ୍ବ ଶବ୍ଦଟି ମୋ ପାଇଁ ଗୋଟେ ଅଭିଶପ୍ତ ଶବ୍ଦ ହୋଇ ଯାଇଛି। କିନ୍ତୁ ଶୁଣି ଦେଲେ ବା ଦେଖିଦେଲେ ମୋ ମନରେ ଗୋଟେ ଛାନିଆ ପଶିଯାଏ।ଏବେ କିନ୍ତୁ କାହିକି କେଜାଣି ଲଙ୍କାଆମ୍ବ ବଗିଚାକୁ ଦେଖି ମନ ହେଲାଟିକେ ତାକୁ ହାତରେ ଆଉଁଶି ଦେବାକୁ। ବେଳେ ବେଳେ ସ୍ମୃତି ସବୁ ଉଜ୍ଜୁବିତ ହୁଏ ଯେତେ ବେଳେ ବାସ୍ତବତା ଭିତରେ ମଣିଷ ଡୁ ବି ଯାଏ। ମୁଁ ଠିକ୍ ସେହିପରି ଆଜି ମୋ ପୁରୁଣା ଦିନର ପୁରୁଣା ସ୍ମୃତି କୁ ସାଉଁଟିବାକୁ ଯାଇ ଫେରିବା ରାସ୍ତାରେ ପଶିଗଲି କାଜୁଜଙ୍ଗଲରେ।ସମସ୍ତେ ଗାଡ଼ି ରଖି ରହିଲେ। କାଜୁ ବି ତୋଳିଲେ। କିନ୍ତୁ ମୋର ଥିଲା ନିଆରା ମାନସିକତା। ତାକୁ ହାତରେ ଧରି ମୁଁ ମଜ୍ଜିଗଲି ଅତୀତରସ୍ମୃତି ସହିତ ବର୍ତ୍ତମାନ ପରିସ୍ଥିତିର ସାମଞ୍ଜସ୍ୟତା ଭିତରେ।ଏଇ କାଜୁ ବଗିଚାକୁ କାଜୁ ତୋଳି ଆସିଥିଲେ ନୂଆସାହିର ପୁରୁଷ ଓ ମହିଳା ମାନେ। ଛାର ଖାର ହୋଇଗଲା ତାଙ୍କର ଘର ଦ୍ଵାର, ଆସବାବ ପଦାର୍ଥ, ଗଛ ଲତା ଆଉ ଗୃହପାଳିତ ପଶୁ। ଜୀବନ ଜୀବିକା ତାଙ୍କର ହଜିଗଲା ସେଇ ଅଗ୍ନିର ଲେଲିହାନଜିହ୍ଵାରେ। ଭାବାନ୍ତରଧରି ମୁଁ ରାସ୍ତାରେ ଫେରୁ ଫେରୁପାଖରେ ରଖିଥିବାଲଙ୍କା ଆମ୍ବକୁ ଟିକେ ଆଉଁଶି ଦେଉଥିଲି।

ଉପସ୍ଥାପନା : ସୁକାନ୍ତି ମହାନ୍ତି

Related posts