ଆଧୁନିକତାର ଚାକଚକ୍ୟ ଭିତରେ ହଜିଯାଇଛି ଆଜି ଓଡି଼ଶାର ପାରମ୍ପରିକ କଳା ବା ଲୋକକଳା। ଯାହାପାଇଁ ଦିନେ ଓଡି଼ଶା ଦେଶବିଦେଶରେ ପରିଚିତ ଥିଲା। ଯେଉଁ ଲୋକକଳା ଲୋକ ସଂସ୍କୃତି ଭାରତର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ। ଗୋଟିଏ ସଭ୍ୟତାର ପରିଚୟ ହେଉଛି ସେଠାକାର ଲୋକକଳା ଓ ପରମ୍ପରା। ଯେଉଁଥିରେ ଜଡି଼ତ ଥାନ୍ତି ସେଠାକାର ସ୍ଥାନୀୟ ବାସିନ୍ଦା। ତେବେ ଏ ଲୋକକଳା ବର୍ତ୍ତମାନ ଲୁପ୍ତ ହେବାକୁ ବସିଲାଣି।
ଢୁମ୍ପା – କବିସୂର୍ଯ୍ୟ ବଳଦେବ ରଥ ହେଉଛନ୍ତି ଢୁମ୍ପା ସଂଗୀତର ଜନକ ଦିଗପହଣ୍ଡି ଅଞ୍ଚଳ ଯାହାକି କବିସୂର୍ଯ୍ୟଙ୍କର ଜନ୍ମଭୂମୀ। ୧୭୮୯ ମସିହାରେ କବିସୂର୍ଯ୍ୟଙ୍କର ଜନ୍ମ । ଜନ୍ମମାଟିରୁ ଆରମ୍ଭ କରି ଦେଶ ବିଦେଶ ଯାଏଁ ସେତବେଳେ ଢୁମ୍ପା ସଂଗୀତର ଖ୍ୟାତି ରହିଥିଲା। ଢୁମ୍ପା ସଂଗୀତ ପରିବେଷଣ ପାଇଁ ପ୍ରସ୍ତୁତ ହେଉଥିଲା ସଂଗୀତ ଆସର। ଏ ସଂଗୀତରେ ମୁଖ୍ୟ ବାଦ୍ୟଯନ୍ତ୍ରକୁ ଢୁମ୍ପା କୁହାଯାଏ। ଏହି ବାଦ୍ୟଯନ୍ତ୍ରର ପ୍ରସ୍ତୁତ ଶୈଳୀ ଅନନ୍ୟ। ଏହା ରାଜମଇ କିମ୍ବା ଭେଣ୍ଡିଆ ମର୍ଦ୍ଦନ ଗଛର ଖୋଲରୁ ପ୍ରସ୍ତୁତ ହୁଏ। ତେଣୁ ଢୁମ୍ପା ସଂଗୀତରେ ଏହି ବାଦ୍ୟକୁ ପ୍ରୟୋଗ କରାଯାଏ। ଏହାକୁ ତିନିରୁ ଚାରିଜଣ ବ୍ୟକ୍ତି ବାଦନ କରିଥାନ୍ତି। କିନ୍ତୁ ବର୍ତ୍ତମାନ ତାହା ଲୁପ୍ତ ହେବାକୁ ବସିଲାଣି। ଏହା ଆହୁରି ମଧ୍ୟ ଆଦୃତ ଥିଲା ଖଣ୍ଡପଡା଼ ଗଡ଼ରେ ପଠାଣୀ ସାମନ୍ତଙ୍କର ପୁତ୍ର ଗଦାଧର ସିଂ ସାମନ୍ତ ଏହାକୁ ବହୁତ ପରିବେଷଣ କରୁଥିଲେ ଓ ଏହାକୁ ପରିବ୍ୟାପ୍ତି କରାଇଥିଲେ। ତେବେ ସଂଗୀତ ମୁଖ୍ୟତଃ ରାଜ ଦରବାରରେ ପରିବେଷଣ ହେଉଥିଲା।
ଦାସକାଠିଆ – ଆଗ କାଳରେ ମନୋରଞ୍ଜନର ଏକ ଆୟୋଜନ ହେଉଛି ଦାସକାଠିଆ। ଦାସ ଶବ୍ଦର ଅର୍ଥ ହେଉଛି ସେବକ ଓ କାଠିଆ ଅର୍ଥ କାଠରେ ନିର୍ମିତ ଯୋଡା଼। ତେବେ ଏ ଦାସକାଠିଆ ଯେଉଁମାନେ ପରିବେଷଣ କରନ୍ତି ସେମାନଙ୍କୁ ଗାହାଣ କୁହାଯାଏ । ଏହା ମୁଖ୍ୟତଃ ଏକ ବାଦ୍ୟ ଯନ୍ତ୍ର ଯାହାକି ହାତରେ ଧରି ବାଦନ କରାଯାଏ । ଏହାକୁ ମୁଖ୍ୟତଃ ଶିବ ବନ୍ଦନା ଶିବ ଗୀତିନାଟ ଗଣେଶ ଓ କାଳୀଙ୍କ ପାରମ୍ପରିକ ସଂଗୀତରେ ପରିବେଷଣ କରାଯାଏ। ଗଞ୍ଜାମରେ ଏହାର ଉତ୍ପତି ବୋଲି କୁହାଯାଏ। ଓ ଏହାକୁ ପରିବେଷଣ କରିବା ପୂର୍ବରୁ ପ୍ରଥମେ ଭଗବାନ ଶିବଙ୍କୁ ଆରାଧନା କରାଯାଏ।
କେନ୍ଦେରା – ଆଗରୁ ପ୍ରତ୍ୟେକ ଗ୍ରାମରେ କେନ୍ଦେରାର ଗୀତ ଶୁଭୁଥିଲା। କେନ୍ଦେରାର ଗୀତ ଶୁଣି ମହିଳାମାନେ ଚାଉଳ ଇତ୍ୟାଦି ଧରି ଘରୁ ବାହାରିବେ କେନ୍ଦେରା ବାଦକକୁ ଦେବା ପାଇଁ। କେନ୍ଦେରା ଯେଉଁମାନେ ଗ୍ରାମେ ଗ୍ରାମେ ବଜାନ୍ତି ସେମାନଙ୍କୁ ଯୋଗୀ କୁହାଯାଏ। ବିଭିନ୍ନ ପ୍ରକାର ଟିକା, ଛାନ୍ଦ, ତ୍ରିପଟା, ଚୋଖି ଇତ୍ୟାଦି ପରିବେଷଣ କରନ୍ତି। ମହାନ କଥା ହେଉଛି, ସେମାନେ ଗାୟକ ନୁହନ୍ତି କିନ୍ତୁ ସେହି କର୍କସ ବା ଘାଗଡା କଣ୍ଠରେ ସେ ଗାଁ ଗାଁରେ ଲୋକମାନଙ୍କୁ ଏକତ୍ରୀତ କରିପାରନ୍ତି। ଘୋଡା଼ ଲାଞ୍ଜ, ଗୋଧିର ଚମଡା଼, ବାଉଁଶ, ତମ୍ବାର ତାରରେ ଏହାକୁ ପ୍ରସ୍ତୁତ କରାଯାଏ।
ଉପସ୍ଥାପନା: ଆଫତାବ