ପିଲାଦିନେ, ମୋର ମନେ ଅଛି ଯେଉଁଥିରେ ଆମେ ଆମ ଘର ନିକଟ ଷ୍ଟୋର୍କୁ ଯିବା ଏବଂ ଉତ୍ସାହର ସହିତ ପ୍ରଦର୍ଶନରେ ଥିବା ଅଗଣିତ ରାଖୀଙ୍କ ମଧ୍ୟରେ, ଆମର ପ୍ରିୟ ଭାଇମାନଙ୍କୁ ଉପହାର ଦେବା ପାଇଁ ସର୍ବୋତ୍ତମ ଚୟନ କରିବା|
ଏହା ଅଗଷ୍ଟ ଏବଂ ଏହାର ଅର୍ଥ କେବଳ ଗୋଟିଏ ଜିନିଷ ହୋଇପାରେ: ପର୍ବ – ଭାରତରେ ପସରା ଖୋଲିବ ପର୍ବପର୍ବାଣି | ଏହି ବର୍ଷ, ଅଗଷ୍ଟ 3 ତାରିଖ, ରକ୍ଷା ବନ୍ଧନ |ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ମୁଖ୍ୟତଃ ଏକ ହିନ୍ଦୁ ପର୍ବ ଯାହା ଭାରତରେ ଓ ଭାରତବାସୀଙ୍କଦ୍ୱାରା ପାଳନ କରାଯାଏ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ ।
ପୁରାଣ
ପୁରାଣ ଓ ଇତିହାସରେ ରହିଛି ରକ୍ଷାବନ୍ଧନର ଅନେକ ଘଟଣା । ପୁରାଣରେ ଅସୁର ରାଜାବଳିଠାରୁ ମୋଗଲ ସମ୍ରାଟ ହୁମାୟୁନଙ୍କ ଯାଏଁ ରକ୍ଷାବନ୍ଧନ ଭଉଣୀର ସମ୍ମାନ ରକ୍ଷା କରିଆସିଛି ।
- ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୈଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିର ରାଜପ୍ରାସାଦରେ ଅବସ୍ଥାନ କଲେ । ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ । ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ । ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟିଲେ । ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା । ଲକ୍ଷ୍ମୀ କଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ ।
- ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି।କାହାଣୀଟି କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ରକ୍ତ ବନ୍ଦ ହେଇଯାଇଥିଲା । ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ । ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନକରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ ।
ଇତିହାସ
ଇତିହାସରେ ମଧ୍ୟ ରହିଛି ରକ୍ଷାବନ୍ଧନ । ଯଦିଓ ଏହାପଛରେ ରହିଛି ରାଜନୈତିକ ଅଭିସନ୍ଧି, ତେବେ ବି ରାକ୍ଷୀ ବାନ୍ଧିଥିବା ଭଉଣୀର ସମ୍ମାନ ରକ୍ଷା ପାଇଁ ଭାଇ ପଛଘୁଞ୍ଚା ଦେଇନାହିଁ ।
- ପ୍ରଥମ ଘଟଣାଟି ହେଲା ଖ୍ରୀଷ୍ଟପୂର୍ବ ୩୦୦ ବର୍ଷ ତଳର । ମାସିଡୋନିଆର ସମ୍ରାଟ ଆଲେକଜାଣ୍ଡାର ଭାରତ ଉପରେ ବିଜୟ ଲାଭ ପାଇଁ ଅଗ୍ରସର ହେଉଥିବା ବେଳେ ରାଜା ପୁରୁଙ୍କ ସମ୍ମୁଖୀନ ହେଇଥିଲେ । ପ୍ରଥମ ଥର ପୁରୁଙ୍କଠାରୁ ଆଲେକଜାଣ୍ଡାର ପରାସ୍ତ ହେଲେ, ସେତେବେଳେ ଆଲେକଜାଣ୍ଡାରଙ୍କ ପତ୍ନୀ ପୁରୁଙ୍କ ନିକଟକୁ ଏକ ରାକ୍ଷୀ ପ୍ରେରଣ କରିଥିଲେ। ପୁରୁ ତାଙ୍କୁ ନିଜର ଭଉଣୀ ଭାବେ ଗ୍ରହଣ କରିଥିଲେ ।
- ଅନ୍ୟ ଘଟଣାଟି ହେଲା ରାଣୀ କର୍ଣ୍ଣାବତୀ ଓ ସମ୍ରାଟ ହୁମାୟୁନଙ୍କୁ ନେଇ । ମଧ୍ୟ ଯୁଗର ରାଜପୁତ ଯୋଦ୍ଧମାନେ ପରାକ୍ରମୀ ଥିଲେ । ସେମାନେ କୈଣସି ଆକ୍ରମଣକାରୀ ସତ ପ୍ରାଣ ଦେଇ ଲଢୁଥିଲେ । ଏମିତି ଏକ ଯୁଦ୍ଧରେ ଚିତୋରର ରାଣୀ କର୍ଣ୍ଣାବତୀ ସ୍ୱାମୀଙ୍କୁ ହରାଇବାପରେ ଯେତେବେଳେ ଅନୁଭବ କଲେ ଯେ,ସୁଲତାନ ବାହାଦୁରଶାହାଙ୍କୁ ପ୍ରତିହତ କରାଯାଇପାରିବ ନାହିଁ, ସେତେ ବେଳେ ସେ ଉପାୟଟିଏ ଚିନ୍ତାକଲେ । ମୋଗଲ ସମ୍ରାଟ ହୁମାୟୁନଙ୍କ ନିକଟକୁ ଏକ ରାକ୍ଷୀ ପଠେଇ ଦେଲେ । ହୁମାୟୁନ ମଧ୍ୟ ଏହାକୁ ଭଉଣୀର ସ୍ନେହ ମନେ କରି ଚିତୋରର ସୁରକ୍ଷାପାଇଁ ତୁରନ୍ତ ତାଙ୍କର ସୈନ୍ୟବାହିନୀ ପଠେଇଦେଇଥିଲେ ।
ଏହି ଦିନରେ ପାଳନ କରାଯାଉଥିବା ଅନ୍ୟାନ୍ୟ ପର୍ବ ପର୍ବାଣୀ
ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ଗ୍ରହଣ କରାଯାଏ । ହଳମୂଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋମାତାଙ୍କୁ ପୂଜା କରାଯାଏ । ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି । ବ୍ରାହ୍ମଣମାନେ ଏହି ଦିନ ମନ୍ତୁରା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି ।
ବଳରାମ ଜୟନ୍ତୀ
କୃଷ୍ଣଙ୍କ ବଡ଼ ଭାଇ ଭଗବାନ ବଳରାମ ଏହି ଦିନ ଅବତୀର୍ଣ୍ଣ ହୋଇଥିଲେ, ତେଣୁ ଏହି ଦିନଟିକୁ ବଳରାମ ଜୟନ୍ତୀ ରୂପେ ପାଳନ କରାଯାଏ ।
ଗହ୍ମା ପୂର୍ଣ୍ଣିମା
ଏହି ଦିନ ସବୁ ପାଳିତ ପଶୁ ଗାଈ, ଗୋରୁ ଆଦିଙ୍କୁ ସଜାଯାଏ ଏବଂ ପୂଜା କରାଯାଏ । ବିଭିନ୍ନ ପ୍ରକାରର ପିଠା ଓ ମିଠା ତିଆରି କରାଯାଏ ଏବଂ ପରିବାର, ବନ୍ଧୁ ବାନ୍ଧବମାନଙ୍କ ମଧ୍ୟରେ ବଣ୍ଟାଯାଏ ।
ଝୁଲଣ ପୂର୍ଣ୍ଣିମା/ ଝୁଲଣ ଯାତ୍ରା
ଶ୍ରାବଣ ମାସରେ ଶୁକ୍ଳ ପକ୍ଷ ଦଶମୀଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ ୭ଦିନ ଏହି ଝୁଲଣ ଯାତ୍ରା ପର୍ବ ପାଳନ କରାଯାଏ । ଭଗବାନ କୃଷ୍ଣ ଏବଂ ରାଧା ଏହି ବର୍ଷା ଋତୁରେ ଦୋଳି ଖେଳି ଆନନ୍ଦ ନେଇଥାନ୍ତି । ରାଧା କୃଷ୍ଣଙ୍କୁ ଝୁଲଣରେ ସଜାଯାଇ ଦୋଳି ଖେଳା ଯାଇଥାଏ ।