ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନୀତିକାନ୍ତି, ଯାନିଯାତ୍ରା, ଭୋଗରାଗ ଆଦିରେ ଯେପରି ବିବିଧତା ଓ ସ୍ୱାତନ୍ତ୍ର୍ୟ ରହିଛି, ତାଙ୍କର ବିବିଧ ବେଶ ଆଦିରେ ମଧ୍ୟ ସେହିପରି ବିବିଧତା ଓ ସ୍ୱାତନ୍ତ୍ର୍ୟ ରହିଛି । ଏହା ରହିବା ମଧ୍ୟ ସ୍ୱାଭାବିକ, କାରଣ ବର୍ଣ୍ଣନା ରହିଛି ଯେ – “ଅଳଙ୍କାର ପ୍ରିୟୋ ହରି” । ମହାପ୍ରଭୁଙ୍କ ବେଶର ଅନ୍ୟ ନାମ ଶୃଙ୍ଗାର । ଏହି ବେଶ ବା ଶୃଙ୍ଗାର ବର୍ଷର ବିଭିନ୍ନ ସମୟରେ ବସ୍ତ୍ର, ଆଭୂଷଣ ଏବଂ ପୁଷ୍ପ ଦ୍ୱାରା ସମ୍ପାଦିତ ହୋଇଥାଏ, ଯାହାର ଦର୍ଶନ ସାଧାରଣ ମନୁଷ୍ୟ ପାଇଁ କେବଳ ନୁହେଁ, ଦେବତାଙ୍କ ପାଇଁ ମଧ୍ୟ ଦୁର୍ଲ୍ଲଭ ହୋଇଥାଏ । ଆଉ ଯଦି ମହାପ୍ରଭୁଙ୍କ କୃପାରୁ ଏହି ଦୁର୍ଲ୍ଲଭ ବେଶାଦିର ଦର୍ଶନ ମିଳେ, ତେବେ ଭକ୍ତ ଆନନ୍ଦରେ ଗାଇ ଉଠେ –
“ତୋର ବିବିଧ ବେଶ ଦେଖି । ନିର୍ମଳ ହେଲା ବେନି ଆଖି ।।
ଧନ୍ୟ ତୋ ନୀଳାଦ୍ରି ମଣ୍ଡଳ । ଭକତ ଭାବେ ହେଲୁ ଭୋଳ ।।”
(ପୁରୁଷୋତ୍ତମ ଗୀତା)
ମହାପ୍ରଭୁଙ୍କର ଏହିପରି ଏକ ଦୁର୍ଲ୍ଲଭ ବେଶ ହେଉଛି “ନାଗାର୍ଜୁନ” ବେଶ ଯାହାକି ଏକ ସାମୟିକ ବେଶ ଏବଂ ଏହା କାର୍ତ୍ତିକ ମାସର ବିଶେଷ ତିଥିରେ ସମ୍ପାଦିତ ହୋଇଥାଏ । କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ବା ଶୁକ୍ଳପକ୍ଷ ଏକାଦଶୀ, ଦ୍ଵାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଓ ପୂର୍ଣ୍ଣିମାକୁ “ପଞ୍ଚକ” ବା “ପଞ୍ଚୁକ” କୁହାଯାଏ । ଏହି ପଞ୍ଚୁକ ପାଞ୍ଚ ଦିନରେ ପ୍ରତ୍ୟେକ ବର୍ଷ ମହାପ୍ରଭୁଙ୍କର କ୍ରମାନ୍ଵୟରେ ପାଞ୍ଚଟି ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ, ଯଥା –
୧) ଠିଆକିଆ (ଲକ୍ଷ୍ମୀନାରାୟଣ) ବେଶ
୨) ବାଙ୍କଚୁଡା ବେଶ
୩) ଆଡ଼କିଆ (ତ୍ରିବିକ୍ରମ) ବେଶ
୪) ଡାଳିକିଆ (ଲକ୍ଷ୍ମୀନୃସିଂହ) ବେଶ
୫) ରାଜରାଜେଶ୍ୱର ବେଶ
ଯେଉଁ ବର୍ଷ ପଞ୍ଚୁକ ପାଞ୍ଚ ଦିନ ପରିବର୍ତ୍ତେ ଛଅ ଦିନ ପଡ଼େ ଓ ଯେଉଁ ତିଥି ମଳ ବା ଅଧିକ ରୁହେ (ଅର୍ଥାତ ଯେଉଁ ତିଥି ଦୁଇ ଦିନ ଭୋଗ ହୁଏ ବା ଯେଉଁ ତିଥି ପୂର୍ବ ଦିନ ଓ ତାହାର ପରବର୍ତ୍ତୀ ଦିନ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ବା ତତ୍ପଶ୍ଚାତ ଥାଏ । ଏ କ୍ଷେତ୍ରରେ ପ୍ରଥମ ଦିନକୁ ଶୁଦ୍ଧା ତିଥି ଓ ପରବର୍ତ୍ତୀ ଦିନକୁ ମଳ ତିଥି କୁହାଯାଏ ।), ସେହି ମଳ ବା ଅଧିକ ତିଥିରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଯଦି ଏକାଦଶୀ ବା ପୂର୍ଣ୍ଣିମା ତିଥି ମଳ ରୁହେ ତେବେ ନାଗାର୍ଜୁନ ବେଶ କରାଯିବା ସମୀଚିନ କି ନୁହେଁ ତାହା ବିଚାରସାପେକ୍ଷ । କାରଣ ଏକାଦଶୀ କିମ୍ବା ପୂର୍ଣ୍ଣିମା ମଳ ତିଥି ହେଲେ ଏହି ତିଥିରେ ନାଗାର୍ଜୁନ ବେଶ ହେବାର ଅତୀତରେ ନଜିର ନାହିଁ। କେବଳ ଦ୍ଵାଦଶୀ, ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀରେ ଯେଉଁ ବର୍ଷ ମଳ ତିଥି ପଡ଼େ ସେହି ବର୍ଷ ନାଗାର୍ଜୁନ ବେଶ ହୋଇଥାଏ । ୧୯୮୫ ମସିହାରେ ପୂର୍ବଦିନ (ନଭେମ୍ବର ୨୨ ତାରିଖରେ) ଅହୋରାତ୍ର ଏକାଦଶୀ ଓ ପରଦିନ (ନଭେମ୍ବର ୨୩ ତାରିଖରେ) ମଳ ଏକାଦଶୀ ହୋଇଥିଲା, କିନ୍ତୁ ସେହିବର୍ଷ ନାଗାର୍ଜୁନ ବେଶ ହୋଇ ନ ଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟର ରେକର୍ଡ ରୁମରେ ଥିବା ପୁରାତନ ନଥିର ସୂଚନା ଅନୁଯାୟୀ ଏହି ବେଶ ଅତୀତରେ ୨୬.୧୧.୧୯୬୬ ମଳ ତ୍ରୟୋଦଶୀ ତିଥିରେ, ୧୬.୧୧.୧୯୬୭ ମଳ ଚତୁର୍ଦ୍ଦଶୀ ତିଥିରେ, ୦୩.୧୧.୧୯୬୮ ମଳ ତ୍ରୟୋଦଶୀ ତିଥିରେ, ୨୬.୧୧.୧୯୯୩ ମଳ ଦ୍ଵାଦଶୀ ତିଥିରେ ଓ ୧୬.୧୧.୧୯୯୪ ମଳ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହୋଇଅଛି । ପୁନଶ୍ଚ ଏହି ବେଶ ୨୭.୧୧.୨୦୨୦ ମଳ ଦ୍ଵାଦଶୀ ତିଥିରେ ଅନୁଷ୍ଠିତ ହେବାକୁ ଯାଉଅଛି । ମାତ୍ର କୋଵିଡ଼୍ କଟକଣା ଯୋଗୁଁ ପ୍ରଥମ ଥର ପାଇଁ ଏହି ବେଶ ବିନା ଭକ୍ତଙ୍କ ସମାଗମରେ ଅନୁଷ୍ଠିତ ହେବା ନିମିତ୍ତ ସ୍ଥିରୀକୃତ ହୋଇଅଛି ।
ନାଗାର୍ଜୁନ ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ଏକ ନାଗା ବା ଯୋଦ୍ଧା ରୂପରେ ସଜେଇ ଦିଆଯାଏ । ସେମାନଙ୍କର ଅଣ୍ଟାରେ ଏକ ନାଗା ତାଟି ଭିଡାଯାଏ । ସେମାନେ ଧନୁ, ଶରପୂର୍ଣ୍ଣ ତୂଣୀର, ବାଘନଖ, ଖଣ୍ଡା, ଏରା ପକ୍ଷୀର ପର, ହାଣ୍ଡିଆ (ମସ୍ତକରେ ଶୋଭିତ), ଭେଲଭେଟ୍ କପଡ଼ାରେ ନିର୍ମିତ ବାଘଛାଲ ଓ ଚମରି ଗାଈର ଛାଲ, କଲଫି, ଶ୍ରୀହସ୍ତ, ଶ୍ରୀପୟର, ଚନ୍ଦ୍ର-ସୂର୍ଯ୍ୟ, ଓଳମାଳ ବା ରୁମାଲ (ଉଭୟ ହସ୍ତରେ ୬ ଗୋଟି କରି ମୋଟ ୧୨ ଟି ଲେଖାଏଁ), ଶଙ୍ଖ-ଚକ୍ର (ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ), ହଳ-ମୂଷଳ (ଶ୍ରୀବଳଭଦ୍ରଙ୍କ କ୍ଷେତ୍ରରେ), ଘାଗଡ଼ା ମାଳି, ପଦ୍ମ ମାଳି, ହରିଡ଼ା କଣ୍ଠି ମାଳି, ବାଘନଖି ମାଳି, ଢ଼େଣୁ (ଓଲଟା ଧନୁ), ଦାଢ଼ି, ନାକୁଆସି, କର୍ଣ୍ଣକୁଣ୍ଡଳ ଆଦିରେ ସଜ୍ଜିତ/ଭୂଷିତ ହୁଅନ୍ତି । ସେମାନଙ୍କର ବାହୁ ମୂଳରେ କଲିଙ୍ଗ, କଟିରେ କଟି ଢାଲ, କମର ପଟିରେ ଛୁରୀ, କଟାରୀ, ସିଙ୍ଘଡ଼ା ଓ ଜଙ୍ଘରେ ଘଣ୍ଟି ବନ୍ଧାଯାଏ । ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ଏହି ବେଶରେ ୧୬ ଟି ଲେଖାଏଁ ଆୟୁଧ ଧାରଣ କରନ୍ତି । ମା’ ସୁଭଦ୍ରାଙ୍କ ଶିରରେ ସୁନାର ମୁକୁଟ-ଚନ୍ଦ୍ରିକା, କର୍ଣ୍ଣରେ ତଡ଼ଗି ଓ ଗଳାରେ ହାର ଶୋଭା ପାଏ । ଏହି ଦୁର୍ଲ୍ଲଭ ବେଶ ଭିତରଚ୍ଛ ମହାପାତ୍ର, ତଳିଚ୍ଛ ମହାପାତ୍ର ଓ ପୁଷ୍ପାଳକ ସେବକଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ ଏବଂ ଏଥିରେ ଖୁଣ୍ଟିଆ ଓ ମେକାପ ସେବକମାନେ ସହାୟତା କରିଥାନ୍ତି ।
ଏହି ବେଶ ଏକ ପାରମ୍ପରିକ ବେଶ ହୋଇଥିବାରୁ ପୂର୍ବରୁ କିଛି ବର୍ଷ ଧରି ଚକ୍ରକୋଟ ଖୁଣ୍ଟିଆଙ୍କ ଅମଳରୁ ତାଙ୍କର ବଂଶଧରମାନେ ବେଶର ସମସ୍ତ ବ୍ୟୟଭାର ବହନ ପୂର୍ବକ ଏହି ବେଶ କରିଆସୁଥିଲେ । ପରେ ଜଗନ୍ନାଥ ଖୁଣ୍ଟିଆ ୧୯୬୬, ୧୯୬୭ ଓ ୧୯୬୮ରେ ଏହି ବେଶର ବ୍ୟୟଭାର ବହନ କରି ବେଶ ସମ୍ପାଦନା କରିଥିଲେ । ମାତ୍ର ୧୯୯୩ ମସିହାରେ ଜଗନ୍ନାଥ ଖୁଣ୍ଟିଆଙ୍କ ବଂଶଧର ଏହି ବେଶର ବ୍ୟୟଭାର ବହନ କରିବାକୁ ଅରାଜି ହେବାରୁ ଶ୍ରୀମତୀ ତିଳୋତ୍ତମା ଦାସ ମହାପାତ୍ର ନିଜ ତରଫରୁ ଏହି ବେଶ କରିବା ପାଇଁ ଇଚ୍ଛୁକ ହୋଇ ଶ୍ରୀମନ୍ଦିର ପ୍ରଶାସନର ଅନୁମତି ଲୋଡ଼ିଥିଲେ ଓ ସେହି ବର୍ଷ ବେଶର ସମସ୍ତ ବ୍ୟୟଭାର ବହନପୂର୍ବକ ବେଶ ସମ୍ପାଦନା କରିଥିଲେ । ୧୯୯୪ ମସିହାରେ ଏହି ବେଶର ସମସ୍ତ ବ୍ୟୟଭାର ଶ୍ରୀମନ୍ଦିର ପ୍ରଶାସନ ବହନ କରିଥିଲା ଓ ଅତି ସୁରୁଖୁରୁରେ ଶ୍ରୀଜୀଉମାନଙ୍କର ଏହି ମନୋମୁଗ୍ଧକର ବେଶ ଅନୁଷ୍ଠିତ ହୋଇପାରିଥିଲା ।
ଏହି ନାଗାର୍ଜୁନ ବେଶ ପ୍ରଣୟନ ସମ୍ବନ୍ଧରେ ବିବିଧ ମତବାଦ ମାନ ରହିଛି । ଯଥା –
୧) ଶ୍ରୀବିଷ୍ଣୁଙ୍କର ଅବତାର ଶ୍ରୀପର୍ଶୁରାମ ନାଗା ରୂପ ଧାରଣ କରି ପ୍ରବଳ ପରାକ୍ରମୀ କ୍ଷତ୍ରିୟ ରାଜା ସହସ୍ରାର୍ଜୁନକୁ ବଧ କରିଥିଲେ । ତେଣୁ ଶ୍ରୀପର୍ଶୁରାମଙ୍କର ଏହି ନାଗା ବେଶ ଦ୍ୱାରା ସହସ୍ରାର୍ଜୁନର ଅନ୍ତ ହେବାର ସ୍ମାରକୀ ରୂପେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ । ତେବେ ଏହି ମତବାଦ ତର୍କସାପେକ୍ଷ, କାରଣ ଶ୍ରୀକ୍ଷେତ୍ରର ସାହିଯାତରେ ଅଂଶଗ୍ରହଣ କରୁଥିବା ଶ୍ରୀପର୍ଶୁରାମଙ୍କର ମେଢ଼ରେ ଦେଖାଯାଉଥିବା ତାଙ୍କର ମସ୍ତକରେ ଶୋଭିତ ମୁକୁଟ ଏବଂ ନାଗାର୍ଜୁନ ବେଶରେ ଦେଖାଯାଉଥିବା ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କର ମସ୍ତକରେ ଶୋଭିତ ହାଣ୍ଡିଆ ଉଭୟ ଭିନ୍ନ ଅଟନ୍ତି ।
୨) ଏକଦା ଅର୍ଜୁନ (ପାଣ୍ଡଵ) କିରାତ ବେଶ ଧାରଣ କରିଥିବା ଭଗବାନ ଶିଵଙ୍କ ସହିତ ଯୁଦ୍ଧରେ ପରାସ୍ତ ହୋଇଥିଲେ । ତେବେ ଅର୍ଜୁନ ଛଦ୍ମବେଶରେ ଥିବା ଭଗବାନ ଶିଵଙ୍କୁ ଚିହ୍ନି ପାରି ତାଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିବାରୁ ତଥା ତାଙ୍କର ବିରତ୍ୱରେ ଭଗବାନ ଶିଵ ପ୍ରୀତ ହୋଇ ତାଙ୍କୁ ପାଶୁପତାସ୍ତ୍ର ପ୍ରଦାନ କରିଥିଲେ । ଏହି କିରାତାର୍ଜୁନ ଲୀଳାର ସ୍ମାରକୀ ରୂପେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେଉଅଛି । ଏହି ମତବାଦ ମଧ୍ୟ ତର୍କସାପେକ୍ଷ, କାରଣ ଭଗବାନ ଶିଵଙ୍କ ସହିତ ପ୍ରତ୍ୟକ୍ଷ ସାମଞ୍ଜସ୍ୟ ରଖୁଥିବା ଶ୍ରୀମନ୍ଦିର ପରମ୍ପରାର ଏକମାତ୍ର ବେଶ ହେଉଛି “ହରିହର” ବେଶ ଅନ୍ୟ କୌଣସି ବେଶ ନୁହେଁ, ଯେତେବେଳେ କି ନାଗାର୍ଜୁନ ବେଶରେ ଉଭୟ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ନାଗା ବେଶ ଧାରଣ କରନ୍ତି ଯେଉଁଥିରେ ଅର୍ଜୁନଙ୍କ ସମ୍ପର୍କିତ ଚରିତ୍ର କିମ୍ବା ପ୍ରସଙ୍ଗର ଭୂମିକା ବା ସାଜସଜ୍ଜା ନଥାଏ । (ଏଠାରେ ଉଲ୍ଲେଖଯୋଗ୍ୟ ଯେ ମହାପ୍ରଭୁଙ୍କ “ରଘୁନାଥ” ବେଶରେ ତାଙ୍କ ସହିତ ସମ୍ପର୍କିତ ବିବିଧ ଚରିତ୍ର ମାନଙ୍କର ଭୂମିକା ରହିଥାଏ ଯେପରିକି ଭରତ, ଶତ୍ରୁଘ୍ନ, ହନୁମାନ, ଜାମ୍ବବାନ ଆଦି ତଥା ତାଙ୍କର “ଗିରି ଗୋବର୍ଦ୍ଧନ” ବେଶରେ ସେହି ପ୍ରସଙ୍ଗ ସହିତ ସାମଞ୍ଜସ୍ୟ ରଖୁଥିବା ଗୋବର୍ଦ୍ଧନ ପର୍ବତ ଆଦି ସାଜସଜ୍ଜା ରହିଥାଏ ।)
୩) ଶାରଳା ମହାଭାରତର ବର୍ଣ୍ଣନା ଅନୁଯାୟୀ ଏକଦା ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞ ଅବସରରେ ଅର୍ଜୁନ ପାତାଳଲୋକକୁ ନାଗରାଜାଙ୍କୁ ନିମନ୍ତ୍ରଣ କରିବାକୁ ଯାଇ କାଳାନ୍ତରରେ ବାସୁକୀଙ୍କ କନ୍ୟା ସନ୍ଧ୍ୟାବାଳୀଙ୍କୁ ବିବାହ କରିଥିଲେ । ସନ୍ଧ୍ୟାବାଳୀଙ୍କ ଔରସରୁ ତାଙ୍କର ଏକ ପୁତ୍ର ଜାତ ହୋଇଥିଲା ଯାହାଙ୍କର ନାମ ଥିଲା ନାଗାର୍ଜୁନ ଯେକି ଭଗବାନ ଶିଵଙ୍କ କୃପାରୁ ଦିବ୍ୟ ଅସ୍ତ୍ରଶସ୍ତ୍ର ଲାଭ କରି ପରମ ଶକ୍ତିଶାଳୀ ଓ ପରାକ୍ରମୀ ହୋଇପାରିଥିଲେ । ପରବର୍ତ୍ତୀ କାଳରେ ଅର୍ଜୁନ ଓ ନାଗାର୍ଜୁନଙ୍କ ମଧ୍ୟରେ ଯୁଦ୍ଧ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କି ଅର୍ଜୁନ ପରାସ୍ତ ଓ ନିହତ ହୋଇଥିଲେ । ତତ୍ପଶ୍ଚାତ ଅର୍ଜୁନଙ୍କୁ ବ୍ରହ୍ମା ଓ ଯମରାଜଙ୍କ ସହାୟତାରେ ପୁନର୍ଜୀବିତ କରାଯାଇଥିଲା । ତେଣୁ ଅର୍ଜୁନ ଓ ନାଗାର୍ଜୁନ ଉପାଖ୍ୟାନର ସ୍ମାରକୀ ରୂପେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେଉଅଛି । ଏହି ମତବାଦ ତର୍କସାପେକ୍ଷ, କାରଣ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଅର୍ଜୁନ କିମ୍ବା ତାଙ୍କ ପୁତ୍ର ନାଗାର୍ଜୁନଙ୍କ ସମ୍ପର୍କିତ ଚରିତ୍ର କିମ୍ବା ପ୍ରସଙ୍ଗର କୌଣସି ଭୂମିକା ବା ସାଜସଜ୍ଜା ନଥାଏ ।
୪) ଅନ୍ୟ ଏକ ମତରେ ବୌଦ୍ଧ ଦାର୍ଶନିକ ନାଗାର୍ଜୁନଙ୍କ ନାମ ଅନୁସାରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେଉଅଛି । ତେବେ ଏହି ମତବାଦ ମଧ୍ୟ ତର୍କସାପେକ୍ଷ, କାରଣ ମହାପ୍ରଭୁଙ୍କ ନାଗା/ବୀର ବେଶର ସାଜସଜ୍ଜା ସହିତ ସନ୍ୟାସୀ ବେଶଧାରୀ ବୌଦ୍ଧ ଦାର୍ଶନିକ ନାଗାର୍ଜୁନଙ୍କର କୌଣସି ସମ୍ପର୍କ ଥିବା ମନେ ହୁଏନାହିଁ ।
୫) ଏକଦା ଗଙ୍ଗ ବଂଶର ଜନୈକ ରାଜା, ନାଗାର୍ଜୁନ ପ୍ରଦତ୍ତ କାର୍ତ୍ତବିର୍ଯ୍ୟ ମନ୍ତ୍ରର ସାଧନା କରି ଶତ୍ରୁକୁ ଜୟ କରିଥିଲେ । ଏହି ରାଜା ଚକ୍ରକୋଟ ଗଡ଼ରେ ରହି ଉକ୍ତ ମନ୍ତ୍ର ସାଧନା ଦ୍ୱାରା ଅଧିକ ବା ମଳ ତିଥିରେ ଶତ୍ରୁଙ୍କୁ ଜୟ କରିଥିବାରୁ ସେହି ତିଥିରେ ସେ ମହାପ୍ରଭୁଙ୍କର ବୀର ନାଗାର୍ଜୁନ ବେଶ ପ୍ରଣୟନ କରିଥିଲେ । ପୂର୍ବେ ଚକ୍ରକୋଟ ସ୍ଥାନର ଖୁଣ୍ଟିଆ ପଣ୍ଡା ଏହି ବେଶର ସମସ୍ତ ବ୍ୟୟଭାର ବହନ କରୁଥିବାରୁ ଏହି ମତବାଦ କିଞ୍ଚିତ ଗ୍ରହଣୀୟ ମନେହୁଏ ।
୬) ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଶ୍ରୀକ୍ଷେତ୍ରର ଲୋକସଂସ୍କୃତିର ଏକ ପ୍ରତିଛବି ରୂପେ ପ୍ରତୀୟମାନ ହୁଏ । ଏକଦା ନାଗା ସନ୍ୟାସୀମାନେ ମହାପ୍ରଭୁଙ୍କୁ ନାଗା ବେଶରେ ଦେଖିବାର ଅଭିଳାଷ ପ୍ରକଟ କରିଥିଲେ । ଯେହେତୁ ନାଗା ସନ୍ୟାସୀମାନେ ଉଗ୍ର ଓ ବୀରଭାବ ସମ୍ପନ୍ନ ହୋଇ ହିନ୍ଦୁ ଧର୍ମର ରକ୍ଷା ଦିଗରେ ବ୍ରତୀ ହୋଇଥାନ୍ତି, ତେଣୁ ମହାପ୍ରଭୁ ସେମାନଙ୍କର ମନସ୍କାମନା ପୂର୍ତ୍ତି ପାଇଁ ସେମାନଙ୍କୁ ବୀର ନାଗା ବେଶ ବା ନାଗାର୍ଜୁନ ବେଶରେ ଦର୍ଶନ ଦେଇଥିଲେ । ଏହି ବେଶର ପରିପାଟି ଶ୍ରୀକ୍ଷେତ୍ରର ସାହିଯାତରେ ଅଂଶଗ୍ରହଣ କରୁଥିବା “ନାଗା ମେଢ଼”ର ପରିପାଟି ସହିତ ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ରଖୁଥିବାରୁ ଏହି ମତବାଦ ଯୁକ୍ତିଯୁକ୍ତ ମନେହୁଏ । ସାହିଯାତର ପରମ୍ପରା ରାମ ଜନ୍ମ ପରେ ପରେ ରାମାୟଣର କଥାବସ୍ତୁକୁ ନେଇ କରାଯାଉଥିବାରୁ ପଞ୍ଚରାମାନନ୍ଦ ଆଖଡ଼ା ପ୍ରତିଷ୍ଠିତ ହେବା ପରେ ପରେ ଏହି ବେଶ ପ୍ରଣୟନ ହୋଇଥିବାର ଅନୁମାନ କରାଯାଏ ।
୭) ଶୈବ ଓ ବୈଷ୍ଣବୀୟ ଭାବନାର ଏକ ସମ୍ମିଳିତ ପରିପ୍ରକାଶ ହେଉଛି ନାଗାର୍ଜୁନ ବେଶ । ବିଧର୍ମୀ ଶକ୍ତି କବଳରୁ ଓଡ଼ିଶାକୁ ରକ୍ଷା କରିବା ନିମିତ୍ତ ଓଡ଼ିଆ ଖଣ୍ଡାୟତ ପାଇକ ମନରେ ଐଶ୍ୱରୀୟ ବିଶ୍ବାସ ଓ ବିରତ୍ୱ ଭାବ ଜାଗ୍ରତ କରାଇବା ଏହି ବେଶ ପ୍ରଣୟନର ମୂଳ ଉଦ୍ଦେଶ୍ୟ । ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ବୀର ଓଡ଼ିଆ ପାଇକ ଭାବରେ ମହାରାଜା ଶ୍ରୀ ପୁରୁଷୋତ୍ତମ ଦେବଙ୍କୁ କାଞ୍ଚି ଅଭିଯାନରେ ସାହାଯ୍ୟ କରିଥିବାର ପ୍ରବାଦ ରହିଛି । ପାଇକ ଖେଦା ପୁସ୍ତକ ଅନୁଯାୟୀ ପାଇକର ପାରମ୍ପରିକ ସାଜସଜ୍ଜା ଓ ଅସ୍ତ୍ରଶସ୍ତ୍ର ସମୂହର ବର୍ଣ୍ଣନା ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ସହିତ ସମ୍ପୂର୍ଣ୍ଣ ମେଳ ଖାଏ । ତେଣୁ ଏହି ବେଶ ହେଉଛି ପ୍ରାଚୀନ ଉତ୍କଳର ସେନାନାୟକ ବେଶ ଓ ଓଡ଼ିଆ ପାଇକ ମନରେ ବୀରତ୍ବ ଭାବର ଉଦ୍ରେକ କରିବା ଏହି ବେଶର ମୂଳ ଲକ୍ଷ୍ୟ । ଏହି ମତବାଦଟି ନାଗାର୍ଜୁନ ବେଶ ପ୍ରଣୟନ ସମ୍ବନ୍ଧିତ ସମସ୍ତ ମତବାଦ ଗୁଡ଼ିକ ମଧ୍ୟରୁ ସବୁଠାରୁ ଅଧିକ ଯୁକ୍ତିଯୁକ୍ତ ଓ ଗ୍ରହଣୀୟ ମନେହୁଏ ।
ତେବେ ମହାପ୍ରଭୁଙ୍କ ଲୀଳା ଓ ତାଙ୍କର ରହସ୍ୟକୁ ବୁଝିବା କେବଳ ମାନବ କାହିଁକି, ଦେବତାଙ୍କ ପାଇଁ ମଧ୍ୟ ଦୁରୂହ ବ୍ୟାପାର । ତାଙ୍କର ବେଶର ଉପମା ଓ ମହିମା ମଧ୍ୟ ତାଙ୍କ ପରି ଅବର୍ଣ୍ଣନୀୟ । ତେଣୁ ପୁରୁଷୋତ୍ତମ ଗୀତାରେ କବି ଯଥାର୍ଥରେ ବର୍ଣ୍ଣନା କରିଛନ୍ତି –
“ନାହିଁ ସେ ବେଶର ଉପମା । ବାକ୍ୟେ କେ ବର୍ଣ୍ଣିବ ମହିମା ?”
ଉପସ୍ଥାପନା: କୁମାର ଅରୋଜିତ
News Details: https://sambadepaper.com/imageview_199277_22317978_4_71_27-11-2020_1_i_1_sf.html