ଆଶୁ କବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର।

jadumani mohapatra

କବି:- ଆଶୁ କବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର
ଆବିର୍ଭାବ:- ୧୭୮୧ ଜାନୁଆରୀ ୮ ତାରିଖ
ତିରୋଧାନ:- ୧୮୬୬ ଜୁଲାଇ ୨ ତାରିଖ

କବିଙ୍କ ପିତା:- ମୁକୁନ୍ଦ ମହାପାତ୍ର
କବିଙ୍କ ମାତା:- ଶୋଭା ଦେଇ
କବିଙ୍କ ପତ୍ନୀ:- ଖଞ୍ଜନା

*କବି ଗଞ୍ଜାମର ଆଠଗଡ଼ ଠାରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କର ସମ୍ପୂର୍ଣ୍ଣ କର୍ମମୟ ଜୀବନ ନୟାଗଡ଼ର ଇଟାମାଟି ଠାରେ ହିଁ ବିତିଥିଲା।

*କବି ଯଦୁମଣି, ନୟାଗଡ଼ର ରାଜା ବିନାୟକ ସିଂହ ମାନଧାତାଙ୍କ ରାଜସଭାରେ କବି ଥିଲେ। ରାଜା ବିନାୟକ ସିଂହ ମାନଧାତାଙ୍କ ଅନ୍ତେ ବିନାୟକଙ୍କ ପୁତ୍ର ବ୍ରଜ ବଲ୍ଲଭ ତାଙ୍କୁ ଯଥୋଚିତ ସନ୍ନମାନ ନଦେବାରୁ ସେ ରଣପୁର ରାଜସଭା ଅଭିମୁଖେ ଯାତ୍ରା କରିଥିଲେ।

*କବି ଯଦୁମଣି ହାସ୍ୟ କବି ଭାବେ ଖୁବ୍ ପରିଚିତ ଥିଲେ।ଯଦୁମଣିଙ୍କ କବିତାରେ ତାଙ୍କ ନିର୍ଭିକତା ଦେଖାଯାଏ ଓ ସେଇ କବିତା ମାଧ୍ୟମରେ ପ୍ରଜାମାନଙ୍କୁ ଶୋଷଣ କରୁଥିବା ରାଜାଙ୍କୁ ତୀବ୍ର ନିନ୍ଦା କରିବା ସହିତ ସମାଜକୁ ଶିକ୍ଷଣୀୟ ବାର୍ତ୍ତା ମଧ୍ୟ ଦେଉଥିଲେ ଯଦୁମଣି।

*କବି ତାଙ୍କର ଦାରିଦ୍ର ପୂର୍ଣ୍ଣ ଜୀବନ ଭିତରେ ଅନେକ କାବ୍ୟ କବିତାମାନ ଲେଖିଛନ୍ତି। ତାହା ମଧ୍ୟରୁ ଅନ୍ୟତମ ବା ପ୍ରସିଦ୍ଧ ଦୁଇଟି କାବ୍ୟ ହେଉଛି।୧- ରାଘବ ବିଳାସ ୨- ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର।

*ଯଦୁମଣି ନିଜର କୈଳିକ ବୃତ୍ତି ଚିତ୍ର କଳା ଓ କାଷ୍ଠ ମୂର୍ତ୍ତି ପ୍ରସ୍ତୁତି କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ଏହି କୈଳିକ ବୃତ୍ତିକୁ ଆଜି ବି ତାଙ୍କ ବଂଶଧର ମାନେ ବଞ୍ଚାଇ ରଖିଛନ୍ତି।

*ଆଜି କବି ନାହାନ୍ତି ସତ କିନ୍ତୁ ବଞ୍ଚିରହିଛି ସେଇ ତାଳ ପତ୍ର ପୋଥି ଓ କବିଙ୍କର ସେଇ ହାତ ତିଆରି ଚିତ୍ର କଳା। ସେତେବେଳର ସେଇ ନୁଆଁଣିଆ ଚାଳ ଛପର ଘର ମଧ୍ୟ ନାହିଁ କିନ୍ତୁ ବଂଶାନୁକ୍ରମେ ବଞ୍ଚିରହିଛନ୍ତି ତାଙ୍କର ନାତି ଓ ଅଣନାତି।

*କବିଙ୍କର ସ୍ମୃତି ଓ କୃତିକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ତରରେ କିଛି ବି ପଦକ୍ଷେପ ନିଆଯାଇନାହିଁ। ଏମିତି କି ନୟାଗଡ଼ ଜିଲ୍ଲାର କୈାଣସି ସ୍ଥାନରେ କବିଙ୍କର ପ୍ରତିମୂର୍ତ୍ତି ଟିଏ ମଧ୍ୟ ଦେଖିବାକୁ ମିଳେନାହିଁ। ଯାହା କେବଳ ଇଟାମାଟିରେ ଗୋଟିଏ ପ୍ରତିମୂର୍ତ୍ତି ରହିଛି,ସେହି ପ୍ରତିମୂର୍ତ୍ତିକୁ ମଧ୍ୟ ଜଣେ ବ୍ୟକ୍ତି ତିଆରି କରାଇଥିଲେ।

*ପ୍ରତିମୂର୍ତ୍ତି ସ୍ଥାପନର ଆବଶ୍ୟକତା ରହିଛି, କବିଙ୍କର ଯେଉଁ ଅନବଦ୍ୟ କୃତି ରହିଛି ତାହା ପାଠ୍ୟକ୍ରମରେ ସାମିଲ ହେଲେ ସବୁ ଛାତ୍ର ଛାତ୍ରୀ ମାନେ ଯଦୁମଣି ସାହିତ୍ୟକୁ ପଢ଼ିବାର ସୁଯୋଗ ପାଇବେ, ଏବଂ ଭୁବନେଶ୍ବରର କୈାଣସି ରାଜ ରାସ୍ତା ବା ପ୍ରେକ୍ଷାଳୟକୁ ତାଙ୍କ ନାଁରେ ନାମିତ କରିବା ଦରକାର, ବିଶ୍ଵବିଦ୍ୟାଳୟ ମାନଙ୍କରେ କବି ଓ ଲେଖକମାନଙ୍କୁ ନେଇ ଯେଉଁ ଚେୟାର ବ୍ୟବସ୍ଥା ରହିଛି ସେଥିରେ ମଧ୍ୟ ଯଦୁମଣିଙ୍କୁ ସ୍ଥାନିତ କରିବାର ଆବଶ୍ୟକତା ରହିଛି,ଆଉ ନୟାଗଡ଼ରେ ଏକ ବିରାଟ ପାଠାଗାର ଯଦୁମଣିଙ୍କ ନାଁ ରେ ହେବାର ବିଶେଷ ଆବଶ୍ୟକତା ରହିଛି। ଏହା କଲେ ହିଁ ଯଦୁମଣିଙ୍କୁ ପିଢ଼ି ପିଢ଼ି ଧରି ବଞ୍ଚାଇରଖିହେବ।

———–+++++++++++++++++++++++++———-

ଇଟା ଆଉ ମାଟିର କବି

ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ
କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ …।

ଉକ୍ତ ପଂକ୍ତିଟି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରଚିତ ଧର୍ମପଦ ପୁସ୍ତକର। ଆଜି ଏହି ପଂକ୍ତିଟି ଅକ୍ଷରେ ଅକ୍ଷରେ ସତ୍ୟ ସାବ୍ୟସ୍ତ ହୋଇଛି। ପ୍ରତି ଦିନ ଶହ ଶହ ଲୋକ ଜନ୍ମ ନେଉଛନ୍ତି , ଆଉ ମୃତ୍ୟୁ ବରଣ କରୁଛନ୍ତି। ସେମାନଙ୍କୁ କେହି ମନେ ରଖୁ ନାହାଁନ୍ତି, ହେଲେ ଏଭଳି ଜଣେ ଜଣେ ଯୋଗଜନ୍ମା ଜନ୍ମ ନେଉଛନ୍ତି ଯିଏ ନିଜର କର୍ମ ଓ କଳାରେ ଜାତିସ୍ମର ହୋଇ କାଳକାଳକୁ ଅମର ହୋଇ ରହିଛନ୍ତି। ଯାହାକୁ ଦୁନିଆ ନତ ମସ୍ତକ ହୋଇ ପ୍ରଣିପାତ କରୁଛି । ସେମାନେ ନିଜର ସ୍ୱାର୍ଥ ପାଇଁ ନୁହେଁ,ଦେଶର ,ସମାଜର ସ୍ୱାର୍ଥପାଇଁ କାମ କରିଛନ୍ତି। ସେମାନଙ୍କ ମଧ୍ୟରେ ଯଦୁମଣି ମହାପାତ୍ର ଅନ୍ୟତମ । ଯିଏକି ଯଥାର୍ଥରେ ଉତ୍କଳର ଘଣ୍ଟ ଭାବେ ଜଣାଶୁଣା ।

ନୟାଗଡ଼ ମାଟି ଅନେକ କୃତ୍ତି ସନ୍ତାନଙ୍କୁ ଜନ୍ମ ଦେଇଛି। କବି ଉପେନ୍ଦ୍ର ଭଞ୍ଜ , ବିଶ୍ୱ ବିଖ୍ୟାତ ଜ୍ୟୋର୍ତି ବିଜ୍ଞାନୀ ପଠାଣୀ ସାମନ୍ତ, ଦାଶିଆ ଅଜା (ଦାଶରଥୀ ପଟ୍ଟନାୟକ) ଆଦିଙ୍କ ମଧ୍ୟରେ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର ନିଜର ପାରଦର୍ଶିତା ଦେଖାଇ ପାରିଛନ୍ତି।

ବାସ୍ତବରେ ସେ ଥିଲେ ଉତ୍କଳର ଘଣ୍ଟ। ଏଥିସହିତ ସାରା ଉତ୍କଳର ଇଟା ଆଉ ମାଟିର କବି ସେ। ଘଣ୍ଟ ଯେମିତି ଆମକୁ ଆମର ଦୈନିକ ଜୀବନ ଚଳନୀରେ ଆମକୁ ସତର୍କ କରେଇ ଦିଏ । ସେହିପରି ଯଦୁମଣୀ ମହାପାତ୍ର ନିଜର ସମାଲୋଚନାମୂଳକ କବିତା ମାଧ୍ୟମରେ ଓଡ଼ିଆ ଜାତିକୁ ସଚେତନ କରେଇ ଦେଇଯାଇଛନ୍ତି । ଯାହାଙ୍କର ଏହି ଘଣ୍ଟ ସଦୃଶ କବିତାରେ ପ୍ରବଳ ପ୍ରତାପୀ ରାଜାଙ୍କର ସିଂହାସନ ବି ଦୋହଲି ଯାଇଥିଲା । ସେମାନେ ତାଙ୍କୁ ସାମନା କରିବାକୁ ସାହସ ଜୁଟାଇ ପାରୁନଥିଲେ । ତାଙ୍କର ସମାଲୋଚନାଧର୍ମୀ ଘଣ୍ଟ ସଦୃଶ କବିତା ନିନାଦିତ ହୋଇ ସ୍ଥାଣୁ ପ୍ରଶାସନକୁ ଜାଗ୍ରତ କରାଉଥିଲା ।

ଓଡ଼ିଶା ମାଟିରେ ରଙ୍ଗରସର ଜଣେ ନିର୍ଭୀକ ଚାରଣ କବି ଭାବେ ଯଦୁମଣିଙ୍କ ଅନନ୍ୟ ଅବଦାନ ରହିଛି । ପୂର୍ବ ପରମ୍ପରାକୁ ଭାଙ୍ଗି ନୟାଗଡ଼ ରାଜା ବିନାୟକ ସିଂହ ମାନ୍ଧାତା ତାଙ୍କୁ ରାଜ ଉପଦେଷ୍ଟା , ବ୍ୟକ୍ତିଗତ ବନ୍ଧୁ ଭାବେ ଆପଣେଇ ନେଇଥିଲେ । ଯାହାକି ଯଦୁମଣିଙ୍କ ଅପୂର୍ବ ପ୍ରତିଭାର ପରିଚୟ ଦିଏ । ଗୁଣ ଚିହ୍ନେ ଗୁଣିଆ ନ୍ୟାୟରେ ରାଜାମାନେ ଯଦୁମଣିଙ୍କ ସହ ବନ୍ଧୁତା ସ୍ଥାପନ କରିବାକୁ ଯେମିତି ବ୍ୟାକୁଳିତ ହେଉଥିଲେ ।

ଯଦୁମଣି ମହାପାତ୍ର କେବେହେଲେ ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଇ ନଥିଲେ । ନିଜର ଶାଣିତ କଲମ ମୁନରେ କବିତାର କଟାକ୍ଷ ବାଣ ମାରୁଥିଲେ । ଯାହାକି ସମାଜ ଉପଯୋଗୀ ଥିଲା । ରାଜା ହୁଅନ୍ତୁ କି ପ୍ରଜା ସମସ୍ତଙ୍କୁ ସେ ସଚେତନ କରାଉଥିଲେ । ସତେ ଯେମିତି ସେ ଥିଲେ ଜଣେ ଜାଗ୍ରତ ପ୍ରହରୀ । ମାଟି ମାଆର ଜଣେ ଦକ୍ଷ ସନ୍ତାନ । ଯିଏକି ନିଜର କାୟ-ମନ-ବାକ୍ୟରେ ନିଜ ମାଟି , ସମାଜ ଓ ଦେଶ ପାଇଁ ଥିଲେ ପୂର୍ଣ୍ଣ ସମର୍ପିତ । ଯେଉଁଠି ଅନ୍ୟାୟ ଅନୀତିର କେବେ ସ୍ଥାନ ନଥିଲା ।

ଏମିତି ଅନେକ ଉଦାହରଣ ଦେଖିବାକୁ ମିଳେ । ଯାହାକି କୌଣସି ରାଜାଙ୍କୁ ଯଦୁମଣି ଡରୁ ନଥିଲେ । ରାଜାଙ୍କର କିଛି ଭୁଲ୍‌ ଦେଖିଲେ ତୀବ୍ର ସମାଲୋଚନା କରୁଥିଲେ । ଅବସର ପାଇଲେ ଯଦୁମଣି ରଣପୁର ରାଜା ବେଣୁଧର ନରେନ୍ଦ୍ରଙ୍କ ପାଖକୁ ଯାଆନ୍ତି । ସେଠାରେ ସାହିତ୍ୟର ଆସର ହୁଏ । ଥରେ ରଣପୁର ରାଜା କବିଙ୍କୁ ହତାଦର କରିବାରୁ ସେ କ୍ଷୁବ୍‌ଧ ହୋଇ କବିତାରେ ଦର୍ଶାଇ ଥିଲେ –ଅନ୍ଧ ଦେଶକୁ ଗଲି ଦର୍ପଣ ବିକି , କନ୍ଧ ହାତରେ ଦେଲି ଗୋଦାନ ଟେକି ….। ରାଜାଙ୍କୁ ସେଦିନ ଏଭଳି ଅପମାନ ଦେଇ ଆଉ କେବେ ସେଠାକୁ ଯାଇନଥିଲେ ବୋଲି କୁହାଯାଏ ।

ଉତ୍କଳ ଘଣ୍ଟ କବି ଯଦୁମଣି ମହାପାତ୍ର । ୧୭୮୧ ମସିହା ଜାନୁଆରୀ ୮ ତାରିଖରେ ପିତା ମୁକୁନ୍ଦ ମହାପାତ୍ର ଓ ମା’ ଶୋଭାଦେଈଙ୍କ କୋଳକୁ ଆସିଥିଲେ। ସାରା ପରିବାରରେ ଖୁସିର ମାହୋଲ ଖେଳି ଯାଇଥିଲା ।

ଯଦୁମଣି ମହାପାତ୍ରଙ୍କ ଜନ୍ମବୃତ୍ତାନ୍ତ ବଡ଼ ରହସ୍ୟପୂର୍ଣ୍ଣ ଥିଲା । ତାଙ୍କର ଦାୟାଦମାନେ କୁହନ୍ତି ମୁକୁନ୍ଦ ମହାପାତ୍ର ଓ ଶୋଭାଦେଈଙ୍କର କୌଣସି ସନ୍ତାନ ସନ୍ତତି ହେଉନଥିଲେ । ତାଙ୍କ ଜେଜେ ମା’ ପ୍ରଭୁ ଯଦୁକୃଷ୍ଣଙ୍କୁ ଆରାଧନା କରି ତାଙ୍କ ପୁତ୍ର ଓ ବୋହୂକୁ ସନ୍ତାନ ପ୍ରାପ୍ତି ହେଉ ବୋଲି ପ୍ରାର୍ଥନା କରୁଥିଲେ। ଶୋଭାଦେଈ ଦିନେ ସକାଳୁ ସକାଳୁ ଯଦୁକୃଷ୍ଣ ମନ୍ଦିର ପାଖରେ ଥିବା ପୋଖରୀକୁ ସଖୀଙ୍କ ସହ ଗାଧୋଇବାକୁ ଯାଇଥିଲେ। ଗାଧୋଇ ସାରି ଫେରିବା ବେଳକୁ ପାହାଚରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଯଦୁକୃଷ୍ଣ ପ୍ରାଙ୍ଗଣରେ ଜନ୍ମିତ ହୋଇଥିବାରୁ ଶୋଭାଦେଈଙ୍କ ଶାଶୂ ପିଲାଟିର ନାଁ ଯଦୁମଣି ରଖିଥିଲେ।

କବି ଯଦୁମଣି ମହାପାତ୍ର ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରି ଥିଲେ। ସେ ନିଜର ଅଧ୍ୟବସାୟ, ପ୍ରଚଣ୍ଡ ଜ୍ଞାନ ବଳରେ କାବ୍ୟ, କବିତା ଓ ଚିତ୍ରକଳା ଦିଗରେ ଅପୂର୍ବ ସଫଳତା ଅର୍ଜନ କରିଥିଲେ। ଯାହାକି ତାଙ୍କୁ ଯୁଗ ଯୁଗ ପାଇଁ ଅମର କରି ରଖିବ ।

ଯଦୁମଣିଙ୍କ ବାପା ମୁକୁନ୍ଦ ମହାପାତ୍ର ସେ ସମୟର ଜଣେ ଜଣାଶୁଣା ଚିତ୍ରଶିଳ୍ପୀ ଥିଲେ। ବର୍ତ୍ତମାନ ନୟାଗଡ଼ ସହରରେ ଥିବା ଗୋପିନାଥ ମନ୍ଦିର ଥିଲା ଯଦୁମଣିଙ୍କ ପିତାଙ୍କର କଳାକୃର୍ତ୍ତି। ଏହି ମନ୍ଦିର ନିର୍ମାଣ କରିବାକୁ ଯଦୁମଣିଙ୍କ ପିତା ପରିବାର ସହ ନୟାଗଡ଼ ଚାଲି ଆସିଥିଲେ। ତାଙ୍କ କାର୍ଯ୍ୟଶୈଳୀରେ ଖୁସି ହୋଇ , ରାଜା ମୁକୁନ୍ଦ ମହାପାତ୍ରଙ୍କୁ ନୟାଗଡ଼ର ପୁରୁଣା ସହର ରାଜନଅର ନିକଟରେ ରହିବାକୁ ଜାଗା ଦେଇଥିଲେ। ପରବର୍ତ୍ତୀ କାଳରେ ଇଟାମାଟି ଗାଁରେ ଯାଇ ଯଦୁମଣିଙ୍କ ପରିବାର ରହିଥିଲେ।

୧୮୦୧ ମସିହାରେ ଯଦୁମଣି ମହାପାତ୍ର , ଖଞ୍ଜନା ଦେବୀଙ୍କୁ ବିବାହ କରିଥିଲେ। ୧୮୧୪ ମସିହାରେ ସେ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ। ଏହାର ୫ବର୍ଷ ପରେ ଜନ୍ମ ହୋଇଥିଲା ଏକ ପୁତ୍ର ସନ୍ତାନ । ଯାହାଙ୍କର ନାଁ ଥିଲା କପିଧ୍ବଜ ।

ଯଦୁମଣିଙ୍କ ଝିଅ ରମା ଖଣ୍ଡପଡ଼ାର ନରସିଂହ ଗୁଣିନ୍ଦ୍ରଙ୍କୁ ବିବାହ କରିଥିଲେ। ମାତ୍ର ୫ ବର୍ଷ ବୟସରେ ଯଦୁମଣିଙ୍କ ଏକମାତ୍ର ପୁଅ କପିଧ୍ବଜ ,ଖେଳୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ସେତିକି ବେଳେ ଉଡିଯାଇଥିଲା ତାଙ୍କର ପ୍ରାଣବାୟୁ । ଏହା ଯଦୁମଣିଙ୍କ ଜୀବନରେ ଦାରୁଣ ଦୁଃଖ ଦେଇଥିଲା ।
ପରେ ଯଦୁମଣି ତାଙ୍କ ଝିଅର ପୁଅ ତାଳଧ୍ବଜଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲୋ।

୧୮୬୬ ମସିହା ଜୁଲାଇ ୨ ତାରିଖରେ ଏହି ଉତ୍କଳ ଘଣ୍ଟଙ୍କର ଜୀବନ ଦୀପ ଲିଭି ଯାଇଥିଲା । ସବୁଦିନ ପାଇଁ ସେ ଏହି ଇହ ଧାନ ଛାଡ଼ି ଚାଲିଯାଇଥିଲେ । ହେଲେ ତାଙ୍କର ଏହି କାଳଜୟୀ କୃତ୍ତି ସବୁଦିନ ରହିଯାଇଛି । ଯାହା ଆଜି ବି ଏ ମଣିଷ ସମାଜକୁ ଶିକ୍ଷାର ମଶାଲ ସାଜିଛି ।

କେବଳ ବ୍ୟଙ୍ଗ କବିତା, କୌତୁହଳପୂର୍ଣ୍ଣ କଥା, ଚିତ୍ରରେ ଯଦୁମଣିଙ୍କ ପ୍ରତିଭା ସୀମିତ ନଥିଲା। ପ୍ରଭୁ ରାମଚନ୍ଦ୍ରଙ୍କୁ ନେଇ ସେ ଏକ କାବ୍ୟ ‘ରାଘବ ବିଳାସ’ ଓ କୃଷ୍ଣଙ୍କୁ ନେଇ ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ ରଚନା କରିଥିଲେ। ଯାହାକି ଓଡ଼ିଆ ସାହିତ୍ୟ ଜଗତକୁ ତାଙ୍କର ସର୍ବଶ୍ରେଷ୍ଠ କୃତି। ଏବେ ବି ପାଲାକାର ମାନେ ଯଦୁମଣିଙ୍କ ଦ୍ବାରା ରଚିତ ଛନ୍ଦକୁ ପରିବେଷଣ କରନ୍ତି।

ଉପସ୍ଥାପନା: ଆଫତାବ

itamati

Related posts