ମଧୁମେହ (Diabetes Mellitus)- ଏକ ଆୟୁର୍ବେଦୀୟ ଦୃଷ୍ଟିକୋଣ

ସ୍ବାସ୍ଥ୍ୟ ହିଁ ସମ୍ପଦର ପୃଷ୍ଠାରେ ଆଜି ଆମେ ଜାଣିବା ମଧୁମେହ(Diabetes Mellitus) ରୋଗ ବିଷୟରେ ,ଯେଉଁ ରୋଗ କି ଏବେ ଘରେ ଘରେ ବସା ବାନ୍ଧି ସାରିଚି॥

ମଧୁମେହ ର ବର୍ଣ୍ଣନା ବହୁ ପ୍ରାଚୀନ ଗ୍ରନ୍ଥ ମାନଙ୍କରୁ ମିଳିଥାଏ…ପନ୍ଦର ଶହ ବର୍ଷ ପୂର୍ବରୁ ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ବହୁମୂତ୍ର ରୋଗ ରୂପରେ ମିଳିଥାଏ…ଆୟୁର୍ବେଦୀୟ ଗ୍ରନ୍ଥ “ଚରକ ସଂହିତା” ଏବଂ “ସୁଶ୍ରୁତ ସଂହିତା” ରେ ମଧୁମେହକୁ ପ୍ରମେହ ରୋଗ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି…ସୁଶ୍ରୁତ ପ୍ରଥମେ ମଧୁମେହର ବର୍ଣ୍ଣନା କରିଛନ୍ତି ॥
ମଧୁମେହର ସ୍ବରୂପ ଏହାର ନାମରୁ ହିଁ ସ୍ପଷ୍ଟ ହୋଇଥାଏ…ମଧୁ ଏବଂ ମେହ ଅର୍ଥାତ ମୂତ୍ରରେ ମଧୁ(ଶର୍କରା) ଆସିବା…ଏହାର ଇଂରାଜୀ ନାମ ମଧ୍ୟ Diabetes ର ଅର୍ଥ ପ୍ରବାହ ଏବଂ Mellitus ର ଅର୍ଥ ମଧୁ…ଏହିପରି ମଧୁମେହ ଏବଂ Diabetes Mellitus ଏହି ଦୁଇଟି ନାମ ସମାନାର୍ଥକ ଅଟେ…ଆୟୁର୍ବେଦରେ ମଧୁମେହକୁ ପ୍ରମେହର ଉଗ୍ରରୂପ ବୋଲି ବର୍ଣ୍ଣନା କରାଯାଇଛି॥


ଉତ୍ପତ୍ତି – ଚରକ ଏବଂ ସୁଶ୍ରୁତ ସଂହିତାନୁସାରେ ଯେଉଁ ମନୁଷ୍ୟ ଅତ୍ୟଧିକ ଆଳସ୍ୟପୂର୍ଣ୍ଣ ଜୀବନ ଯାପନ କରିଥାଏ,କୌଣସି ପ୍ରକାରର ଶାରୀରିକ ପରିଶ୍ରମ ତଥା ବ୍ୟାୟାମ କରିନଥାଏ, ମାଛ,ମାଂସ, ଦହି,ଦୁଧ ଦ୍ବାରା ପ୍ରସ୍ତୁତ ଅର୍ଥାତ ଚର୍ବି ଜାତୀୟ ଖାଦ୍ୟର ଅଧିକ ସେବନ କରିଥାଏ,କଫ ବର୍ଦ୍ଧକ ପଦାର୍ଥର ନିରନ୍ତର ସେବନ କରିଥାଏ ସେ ପ୍ରମେହ ରୋଗର ଶିକାର ହୋଇଥାଏ…ଏତଦ୍ ବ୍ୟତୀତ କଷା, କଟୁ,ତିକ୍ତ,ରୂକ୍ଷ,ହାଲୁକା, ଶୀତଳ ଦ୍ରବ୍ୟ ମାନଙ୍କର ଅତ୍ୟଧିକ ସେବନ,ଅଧିକ ମୈଥୁନ,ଅଧିକ ବ୍ୟାୟାମ, ବମନ(ବାନ୍ତି),ବିରେଚନ(ଝାଡା) ଆଦିର ଅତିଯୋଗ କରିବା ଦ୍ବାରା , ମଳ ମୂତ୍ରାଦିର ବେଗକୁ ଧାରଣ କରିବା ଦ୍ବାରା, ଅତି ଶୋକ,ରାତ୍ର ଉଜାଗର, ଅଧିକ ଉତ୍ତାପ ସେବନ ମଧ୍ୟ ପ୍ରମେହ ରୋଗର କାରଣ ହୋଇଥାଏ… ମଧୁମେହର ପ୍ରଧାନ କାରଣ ଅଗ୍ନ୍ୟାଶୟ(Pancreas)ର ଦୁର୍ବଳତା ରୁ ହିଁ ହୋଇଥାଏ ;ଯାହାକୁ କି ଆୟୁର୍ବେଦ ଶାସ୍ତ୍ରରେ ବାତଜନିତ ବୋଲି ଅଭିହିତ କରାଯାଇଛି ॥


ଲକ୍ଷଣ – ଅଧିକ ମାତ୍ରାରେ ମୂତ୍ର ନିର୍ଗତ ହେବା,ଅତ୍ୟଧିକ ଭୋକ ଏବଂ ଶୋଷ ଲାଗିବା,ଶରୀରରେ ଦୁର୍ବଳ ଅନୁଭବ କରିବା,ଦୃଷ୍ଟିଶକ୍ତି କ୍ଷୀଣ ହେବା, ଓଜନ ହ୍ରାସ ହେବା,ଶରୀର ରୂକ୍ଷ ଦେଖାଯିବା,ଜିଭ ଶୁଖିଲା ଏବଂ ଲାଲ୍ ଦେଖାଯିବା,ଶରୀରର କ୍ଷତ ନଶୁଖିବା ଆଦି ଲକ୍ଷଣ ପ୍ରକାଶ ପାଇଥାଏ… ଶରୀର ବିକୃତି ପରୀକ୍ଷା (Pathology Test) ରୁ Blood Sugar level

Above 120mg/100ml(Fasting)
Above 180mg/100ml(P.P)
ରହିଥିବାର ଜଣାପଡିଥାଏ ॥
ଚିକିତ୍ସା – ଏହି ରୋଗରେ ସାଧାରଣ ଭାବରେ ଦୁଇପ୍ରକାର ଚିକିତ୍ସା କରାଯାଇଥାଏ –
(୧)ଆହାର ଚିକିତ୍ସା
(୨)ଔଷଧ ଚିକିତ୍ସା

୧-ଆହାର ଚିକିତ୍ସା – ରୋଗ ଏବଂ ରୋଗୀର ଅବସ୍ଥାକୁ ଦେଖି ଆହାର ଦେବା ବିଧେୟ…ଦୁଧ,ଘୃତ, ଚର୍ବି ଜାତୀୟ, ମିଠା ପଦାର୍ଥ ଶରୀରକୁ ପୁଷ୍ଟ ତଥା ଶକ୍ତି ପ୍ରଦାନ କରୁଥିଲେ ମଧ୍ୟ ମଧୁମେହ ରୋଗୀକୁ ଏହି ଖାଦ୍ୟପଦାର୍ଥ ପ୍ରାଣ ଘାତକ ସାବ୍ୟସ୍ତ ହୋଇଥାଏ… ତେଣୁ ଏସବୁ ଖାଦ୍ୟ ମଧୁମେହ ରୋଗୀ ନିମିତ୍ତ ସର୍ବଦା ବର୍ଜନୀୟ…ରୋଗୀ ପାଇଁ ଗହମ ତିଆରି ରୁଟି ହିଁ ସର୍ବୋତ୍ତମ ଅଟେ…ପୁରୁଣା ଚାଉଳର ଭାତ,କଞ୍ଚା ମୁଗ ଡାଲି ବା କାନ୍ଦୁଲ ଡାଲି,ପୋଟଳ, ଡିମିରି,ବାଇଗଣ,ସଜନା ଛୁଇଁ, କଦଳୀ ଫୁଲ ତରକାରୀ, ବାଦାମ ,ବୁଟଚଣା ବତୁରା ଆଦି ରୋଗୀ ଖାଦ୍ୟ ଭାବେ ଗ୍ରହଣ କରିପାରିବ…ରୋଗୀ ନିୟମିତ ଭାବେ ବ୍ୟାୟାମ କରିବା ଆବଶ୍ୟକ ॥

୨-ଔଷଧ ଚିକିତ୍ସା – ବସନ୍ତ କୁସୁମାକର ରସ,ଚନ୍ଦ୍ରପ୍ରଭା ବଟୀ,ବୃହତ ବଙ୍ଗେଶ୍ବର ରସ,ବଙ୍ଗ ଭସ୍ମ,ସ୍ବର୍ଣ୍ଣ ବଙ୍ଗ,ସୋମନାଥ ରସ,ମେହ କୁଳାନ୍ତକ ରସ,ଶିଳାଜିତ ବଟୀ,ମେହ ମୁଦଗର ବଟୀ ଆଦି ଔଷଧକୁ ରୋଗୀର ଆୟୁ,ଦେଶ,କାଳ, ବଳ ଆଦି ଅନୁସାରେ ଅଁଳା ସ୍ବରସ, ଗୁଡୁଚି ସ୍ବରସ ସହିତ ପ୍ରୟୋଗ କରିବା ଦ୍ବାରା ରୋଗୀ ମଧୁମେହ ରୋଗରୁ ଉପଶମ ଲାଭ କରିଥାଏ ॥

ଆଧୁନିକ ଶାସ୍ତ୍ରରେ –
Diabetic patients are usually classified under two groups-
1-Insulin-dependent diabetes Mellitus(IDDM)
2-Non-Insulin-dependent diabetes Mellitus(NIDDM)

ଉପରେ ବର୍ଣ୍ଣିତ ଚିକିତ୍ସା କେବଳ Non-Insulin-dependent diabetes ରୋଗୀ ଙ୍କ ପାଇଁ ଉଦ୍ଦିଷ୍ଟ ॥

ବି:ଦ୍ର – ଆହୁରି ଅନେକ ଆଲୋଚନା ର ବିଷୟ ଲେଖାଟିର ଦୀର୍ଘତା ଦୃଷ୍ଟିରୁ ଦିଆଯାଇନାହିଁ…ସବୁଠୁ ଗୁରୁତ୍ବ ପୂର୍ଣ୍ଣ କଥା ଏସବୁ ଔଷଧ ଚିକିତ୍ସକଙ୍କ ତତ୍ତ୍ବାବଧାନରେ ସେବନ କରିବେ |

ଡଃ ଅଜୟ କୁମାର

Related posts