ଅର୍ଶ (Piles or Hemorrhoids)

bajabala

ଆଜି ସ୍ବାସ୍ଥ୍ୟ ହିଁ ସମ୍ପଦର ପୃଷ୍ଠାରେ ଆମେ ଜାଣିବା “ଅର୍ଶ” ରୋଗ ସଂପର୍କରେ…ଯେଉଁ ରୋଗ କି ମନୁଷ୍ୟକୁ କଷ୍ଟ ଦେଉଥିବା ରୋଗ ମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ଏହି ରୋଗ ହେବା ଦ୍ବାରା ରୋଗୀ ଭୀଷଣ ଯନ୍ତ୍ରଣା ଭୋଗ କରିଥାଏ ॥
ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଆମେ ଯଦି “ଅର୍ଶ” ରୋଗକୁ ବ୍ୟାଖ୍ୟା କରିବା ତେବେ ତାହା ଏକ ଦୀର୍ଘ ସନ୍ଦର୍ଭ ହେବ… ଯାହା ଦ୍ବାରା କି ଏ ରୋଗ ସମ୍ବନ୍ଧରେ ଜାଣିବା ପାଇଁ ଏକ ବିରକ୍ତିକର ଅବସ୍ଥା ସୃଷ୍ଟି ହେବ ଆମ ସାଧାରଣ ଲୋକଟିଏ ପାଇଁ…ତେଣୁ ଏଠି ଚୁମ୍ବକରେ “ଅର୍ଶ”ରୋଗ ବିଷୟରେ ଲେଖିବା ପାଇଁ ପ୍ରୟାସ କରିଛି ॥

ଉତ୍ପତ୍ତି –
ମଳଦ୍ବାର ହିଁ “ଅର୍ଶ”ରୋଗର ଉତ୍ପତ୍ତି ସ୍ଥାନ ଅଟେ…ଏହି ରୋଗରେ ମଳଦ୍ବାରର ବାହାରେ ବା ଭିତରେ ନାନା ପ୍ରକାର ମାଂସାଙ୍କୁର ଜନ୍ମିଥାଏ…ବାହ୍ୟ ଭାଗରେ ଉତ୍ପନ୍ନ ହେଉଥିବା ମାଂସାଙ୍କୁର କୁ “ବାହ୍ୟାର୍ଶ”(External Piles)ଏବଂ ଆଭ୍ୟନ୍ତର ଭାଗରେ ଜାତ ମାଂସାଙ୍କୁର କୁ “ଆଭ୍ୟାନ୍ତରାର୍ଶ”(Internal Piles) କୁହାଯାଏ ॥
ଗୁହ୍ୟଦ୍ବାର ବା ମଳଦ୍ବାର ବ୍ୟତୀତ ଲିଙ୍ଗ,ନାଭି,ନାସିକା ଏବଂ କର୍ଣ୍ଣ ପ୍ରଭୃତିରେ ମଧ୍ୟ ଅର୍ଶ ହୋଇଥାଏ…ଏହାକୁ “ଅଧିମାଂସ” ରୋଗ କୁହାଯାଏ…କିନ୍ତୁ “ଅର୍ଶ” ରୋଗ କହିଲେ ଆମେ ସାଧାରଣ ଭାବରେ ମଳଦ୍ବାରରେ ଉତ୍ପନ୍ନ ମାଂସାଙ୍କୁରକୁ ହିଁ ବୁଝିଥାଉ ॥

କାରଣ –
ଆୟୁର୍ବେଦ ଶାସ୍ତ୍ରରେ “ଅର୍ଶ” ରୋଗର ମୂଳ କାରଣ ମଳ ବଦ୍ଧତା ବା କୋଷ୍ଠ କାଠିନ୍ୟ ବୋଲି କୁହାଯାଇଛି… ଏହା ବ୍ୟତିରେକ ନିରନ୍ତର ଦ୍ରୁତଗାମୀ ଯାନ ଆରୋହଣ ,ଘୋଡା ଓଟ ଆଦି କ୍ଷୋଭ ଜନକ ବାହନ ଦ୍ବାରା ଯାତ୍ରା, ଉଚ୍ଚାନୀଚ୍ଚା ଓ କଠିନ ଆସନରେ ଉପବେଶନ,ନିରନ୍ତର ପିଚା ପକେଇ ବସିରହିବା,କୌଣସି କଠିନ ବସ୍ତ୍ର ବା ବସ୍ତୁ ଦ୍ବାରା ମଳଦ୍ବାର ଘର୍ଷଣ ହେବା ବା ଆଘାତ ଲାଗିବା,ଅତି ଶୀତଳ ଜଳ ସ୍ପର୍ଶ, ଅଧୋବାୟୁ ଏବଂ ମଳ ମୂତ୍ରାଦିର ବେଗକୁ ରୋଧକରିବା କିମ୍ବା ବଳପୂର୍ବକ ନିଷ୍କାସନ କରିବାକୁ ଚେଷ୍ଟା କରିବା(କୁନ୍ଥାଇ),ଜ୍ବର,ଅତିସାର,ଆମଦୋଷ,ଶରୀର କ୍ଷୀଣ,ଗର୍ଭସ୍ରାବ ପରେ କିମ୍ବା ଗର୍ଭସ୍ଥିତ ଶିଶୁର ବୃଦ୍ଧି ହେତୁ, ଉଦରରେ ଆଘାତ ଆଦି ଲାଗିବା ଦ୍ବାରା ମଳଦ୍ବାରରେ ସ୍ଥିତ ‘ଅପାନବାୟୁ’ କୁପିତ ବା ଦୂଷିତ ହୋଇ ମଳଦ୍ବାରର ବଳୀରେ ପୁରୀଷ(ମଳ) ସଂଚୟ କରିଥାଏ…ଏତଦ୍ବାରା ବଳୀ କ୍ଲେଦଯୁକ୍ତ ହୁଏ ଏବଂ ଏହି ବଳୀରେ ମାଂସାଙ୍କୁର ଉତ୍ପନ୍ନ ହୋଇଥାଏ…ଯାହାକୁ କି “ଅର୍ଶ” ବୋଲି କୁହାଯାଇଥାଏ ॥

ଲକ୍ଷଣ –
ଆୟୁର୍ବେଦ ଶାସ୍ତ୍ରରେ ଭେଦାନୁସାରେ ଏହାର ଦୀର୍ଘ ବର୍ଣ୍ଣନା ଦେଖିବାକୁ ମିଳେ…କିନ୍ତୁ ଆମେ ଏଠି ସହଜ ଆଉ ସୁଖକରଭାବେ ବୁଝିବା ପାଇଁ ଦୁଇ ପ୍ରକାର ଭେଦାନୁସାରେ ବର୍ଣ୍ଣନା କରାଯାଇଛି ॥
୧-ସହଜ – ପିତାମାତାର ଦୋଷରେ ଶୈଶବ କାଳରୁ ଯେଉଁ “ଅର୍ଶ” ହୁଏ ତାହାକୁ “ସହଜ ଅର୍ଶ” କୁହାଯାଏ… ଏଥିରେ ରୋଗୀ କୃଶ,ଅଳ୍ପାହାରୀ,ଅଳ୍ପ ସନ୍ତାନ, ଶୁକ୍ରକ୍ଷୀଣ,କ୍ରୋଧୀ,କମ୍ ହଜମ ଶକ୍ତି ଯୁକ୍ତ, ଶିର ରୋଗ,କର୍ଣ୍ଣ ,ବିଭିନ୍ନ ପେଟ ଆଦି ରୋଗରେ ପୀଡିତ ହୋଇଥାଏ…ରୋଗୀ ପାଣ୍ଡୁ ବର୍ଣ୍ଣର ହୋଇଥାଏ…ଏହି “ଅର୍ଶ” ଅସାଧ୍ୟ ॥
୨-ଉତ୍ତରକାଳ – ନିଜର ଅହିତ ଆହାର ବିହାରରୁ ଯେଉଁ “ଅର୍ଶ” ଜାତ ହୁଏ ତାହାକୁ “ଉତ୍ତର କାଳଜ ଅର୍ଶ” ବୋଲି କୁହାଯାଏ…ଆୟୁର୍ବେଦ ଶାସ୍ତ୍ରରେ ଏହାକୁ ଛଅଭାଗରେ ବିଭକ୍ତ କରାଯାଇ ଲକ୍ଷଣ ବର୍ଣ୍ଣନା କରାଯାଇଥିଲେ ମଧ୍ୟ ସାଧାରଣ ଭାବରେ ଏହି ରୋଗୀଠାରେ ହଜମଶକ୍ତି କମିଯିବା,କୋଷ୍ଠ କାଠିନ୍ୟ ନଚେତ୍ ତରଳ ଝାଡା ହେବା,ଶରୀର କୃଶ ହେବା,କାର୍ଯ୍ୟ କରିବାରେ କ୍ଲାନ୍ତି ବୋଧ କରିବା,ମଳଦ୍ବାରରେ କଇଁଚି କାଟିବାଭଳି ପୀଡା ଅନୁଭବ କରିବା, ଆମ୍ବିଳି ହାକୁଟି,ଉଦରରେ ପୀଡା, ଆଳସ୍ୟ,ଶିର ପୀଡା,ଇନ୍ଦ୍ରିୟ ଶିଥିଳତା ଆଦି ଲକ୍ଷଣ ପ୍ରକାଶ ପାଇଥାଏ…ବିଶେଷ ଭାବରେ ମଳରେ ରକ୍ତ ପଡିବା,ମଳତ୍ୟାଗ ସମୟରେ ପୀଡା ଅନୁଭବ କରିବା ତଥା ମଳତ୍ୟାଗର ପରବର୍ତ୍ତୀ କିଛି ସମୟ ପର୍ଯ୍ୟନ୍ତ ଏହି ପୀଡା ରହିବା ଆଦି ଲକ୍ଷଣ ଦେଖାଯାଇଥାଏ ॥

ଚିକିତ୍ସା –
ପ୍ରଥମେ ଆହାର ଭାବେ ସୁପାଚ୍ୟ,ହାଲୁକା, ଗରମ ଖାଦ୍ୟ ରୋଗୀ ଗ୍ରହଣ କରିବ…କୋଷ୍ଠ କାଠିନ୍ୟ ଥିଲେ ରୋଗୀର ବଳାବଳକୁ ଲକ୍ଷ୍ୟ ରଖି ତ୍ରିଫଳା ଚୂର୍ଣ୍ଣ ଜଳ ,ବୈଶ୍ବାନର ଚୂର୍ଣ୍ଣ,ଏରଣ୍ଡ ତୈଳ ଆଦି ପ୍ରୟୋଗ କରି କୋଷ୍ଠ କାଠିନ୍ୟକୁ ଦୂର କରିବା ଆବଶ୍ୟକ ॥

ଶାସ୍ତ୍ରୀୟ ଔଷଧ –
ଅର୍ଶ କୁଠାର ରସ,ଅଭୟାରିଷ୍ଟ, ତ୍ରିଫଳା ଗୁଗ୍ଗୁଳ,ନିତ୍ୟାନନ୍ଦ ରସ, ମଣ୍ଡୁର ଭସ୍ମ,ପୁନନ୍ନବା ମଣ୍ଡୁର,ବୈଶ୍ବାନର ଚୂର୍ଣ୍ଣ, ଶୂରଣଖଣ୍ଡ ମୋଦକ,ଶୋଣିତାର୍ଗଳ ରସ,ବୋଳବଦ୍ଧ ରସ ତଥା ବାହ୍ୟ ପ୍ରୟୋଗ ପାଇଁ କାଶିଶାଦି ତୈଳ, ଜାତ୍ୟାଦି ତୈଳ ଆଦି ବ୍ୟବହାର କରାଯାଇ ଥାଏ…ଔଷଧ ଦ୍ବାରା ଅର୍ଶକୁ ନଷ୍ଟ କରାଯାଇ ନପାରିଲେ ଆୟୁର୍ବେଦ କ୍ଷାରସୂତ୍ର ମାଧ୍ୟମରେ ଶଲ୍ୟ ଚିକିତ୍ସାକରି ଅର୍ଶ ରୋଗକୁ ସମୂଳେ ବିନାଶ କରାଯାଇ ପାରିଥାଏ ॥

ପଥ୍ୟାପଥ୍ୟ –
ପୁରୁଣା ଚାଉଳ ଭାତ,ଗହମ ତିଆରି ଖାଦ୍ୟ, ସହଜ ସୁପାଚ୍ୟ ଖାଦ୍ୟ ଗ୍ରହଣ, ମୁଗ କୋଳଥ ଡାଲି,କାଞ୍ଚନ ଫୁଲ, ଗାଈ ଘିଅ,ଚହ୍ଲା,ଅମୃତ ଭଣ୍ଡା,ସଜନା ଛୁଇଁ, ଓଲୁଅ ,ମିଶ୍ରି,ଦ୍ରାକ୍ଷା ଆଦି ରୋଗୀକୁ ପଥ୍ୟ ଭାବେ ଦିଆଯାଇ ପାରିବ ॥
ଭଜା,ପୋଡା,ଗୁରୁପାକ,ପିଠା,ଲାଉ, ଶିମ୍ବ,ମଳ ମୂତ୍ରାଦିର ବେଗ ଧାରଣ, ଅତି ମୈଥୁନ,ଅଶ୍ବାଦି ଯାନ ଭ୍ରମଣ ଆଦି ରୋଗୀ ପାଇଁ ବର୍ଜନୀୟ ॥

ଡଃ ଅଜୟ କୁମାର

Related posts