ନିର୍ମାଣରେ ଗୁଣବତ୍ତାକୁ ପ୍ରାଥମିକତା: ୧୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ବ୍ୟୟବରାଦର ପ୍ରକଳ୍ପରେ କ୍ୱାଲିଟି ଅଡିଟ୍ ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟରେ ସରକାରୀ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ ଆହୁରି କଡ଼ାକଡ଼ି ହେବ। ନିର୍ମାଣ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଜବାବଦେହିତା ସୁନିଶ୍ଚିତ କରିବାକୁ ପୂର୍ତ୍ତ ବିଭାଗ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (SOP) ଜାରି କରିଛି। ନୂଆ ବ୍ୟବସ୍ଥାରେ ୧୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ବ୍ୟୟବରାଦର ସମସ୍ତ ପ୍ରକଳ୍ପ ପାଇଁ ସ୍ୱାଧୀନ କ୍ୱାଲିଟି ଅଡିଟ୍ ବାଧ୍ୟତାମୂଳକ ହୋଇଛି। ପୂର୍ତ୍ତ ବିଭାଗର RD&QP ୱିଙ୍ଗ ବିନା କୌଣସି ଯାଞ୍ଚ କିମ୍ବା ପରୀକ୍ଷା ଶୁଳ୍କରେ ଏହି ଅଡିଟ୍ କରିବ।

ଅଡିଟ୍‌ରେ ଠିକାଦାରଙ୍କ କାର୍ଯ୍ୟପଦ୍ଧତିଠାରୁ ନିର୍ମାଣ ସାମଗ୍ରୀର ମାନ, ପରୀକ୍ଷାଗାରର କ୍ଷମତା, ଗୁଣବତ୍ତା ନିୟନ୍ତ୍ରଣ ବ୍ୟବସ୍ଥା ଓ ନିର୍ମାଣ ପ୍ରକ୍ରିୟା ପର୍ଯ୍ୟନ୍ତ ଯାଞ୍ଚ ହେବ। ଏହାସହ ସୁରକ୍ଷା ମାନଦଣ୍ଡ, ପରିବେଶ ସୁରକ୍ଷା ଓ ଶ୍ରମ ଆଇନ ପାଳନକୁ ମଧ୍ୟ ଯାଞ୍ଚ ପରିସରରେ ରଖାଯାଇଛି। ପ୍ରକଳ୍ପ ତଦାରଖ କରୁଥିବା ପରାମର୍ଶଦାତା ସଂସ୍ଥାର ଗୁଣବତ୍ତା ପରିଚାଳନା ବ୍ୟବସ୍ଥା ମଧ୍ୟ ଅଡିଟ୍ ହେବ।

ପ୍ରତ୍ୟେକ ପ୍ରକଳ୍ପରେ ଅତି କମରେ ଦୁଇଟି କ୍ୱାଲିଟି ଅଡିଟ୍ କରାଯିବ। ପ୍ରଥମଟି ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଏବଂ ଦ୍ୱିତୀୟଟି ପ୍ରକଳ୍ପ ସମାପ୍ତି ପ୍ରମାଣପତ୍ର (PCC) ପ୍ରଦାନ ପୂର୍ବରୁ ହେବ। ପ୍ରକଳ୍ପର ଆକାର ଓ ବୈଷୟିକ ଜଟିଳତା ଅନୁସାରେ ଆବଶ୍ୟକ ପଡ଼ିଲେ ଅଧିକ ଅଡିଟ୍ ମଧ୍ୟ କରାଯାଇପାରିବ।

ଅଡିଟ୍‌ରେ ଧରାପଡ଼ୁଥିବା ତ୍ରୁଟିର ସମୀକ୍ଷା ପାଇଁ ପ୍ରତି ମାସରେ ଉଚ୍ଚସ୍ତରୀୟ କମିଟି ବୈଠକ ବସିବ। କମିଟିର ସୁପାରିସ ତିନି ମାସ ମଧ୍ୟରେ କାର୍ଯ୍ୟକାରୀ ନ ହେଲେ ସମ୍ପୃକ୍ତ ଅଧିକାରୀ କିମ୍ବା ସଂସ୍ଥା ବିରୋଧରେ ପୂର୍ତ୍ତ ବିଭାଗ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ନିର୍ମାଣ ସମୟରେ ହେଉଥିବା ପରୀକ୍ଷା ପାଇଁ ମଧ୍ୟ ନୂଆ ନିୟମ ରହିଛି। ଚାଲୁଥିବା ପ୍ରକଳ୍ପର ସମସ୍ତ ପରୀକ୍ଷା ମଧ୍ୟରୁ ଅତି କମରେ ୫୦ ପ୍ରତିଶତ RD&QPର ନିକଟସ୍ଥ ପରୀକ୍ଷାଗାରରେ କରାଯିବ। ନିର୍ମାଣ ସାମଗ୍ରୀର ଉତ୍ସ ଅନୁମୋଦନ ପାଇଁ ଆବଶ୍ୟକ ସମସ୍ତ ପରୀକ୍ଷା ମଧ୍ୟ ସେହି ପରୀକ୍ଷାଗାରରେ ହେବ।

₹୫୦ କୋଟି କିମ୍ବା ତା’ଠାରୁ ଅଧିକ ବ୍ୟୟବରାଦର ପ୍ରକଳ୍ପ ପାଇଁ ଯାଞ୍ଚ ଆହୁରି ବ୍ୟାପକ ହେବ। କାମ ଶେଷ ହେବା ପରେ ସଡ଼କ ଓ ସେତୁକୁ ଭାଙ୍ଗିବା କିମ୍ବା କ୍ଷତିଗ୍ରସ୍ତ ନ କରି ଅତ୍ୟାଧୁନିକ ଯନ୍ତ୍ର ମାଧ୍ୟମରେ ଏହାର ଗୁଣବତ୍ତା ଯାଞ୍ଚ କରାଯିବ। ବିଟୁମିନସ୍ ଓ ପେଭମେଣ୍ଟ କ୍ୱାଲିଟି କଙ୍କ୍ରିଟ୍ (PQC) କୋର୍ ପରୀକ୍ଷା ମଧ୍ୟ ହେବ। ସମସ୍ତ ପରୀକ୍ଷାରେ ସନ୍ତୋଷଜନକ ଫଳ ମିଳିବା ପରେ ହିଁ PCC ପ୍ରଦାନ କରାଯିବ।

ନୂଆ SOP ତୁରନ୍ତ କାର୍ଯ୍ୟକାରୀ ହୋଇଛି। ପୂର୍ତ୍ତ ବିଭାଗର R&B ୱିଙ୍ଗ ଓ OB&CC Limited ଅଧୀନରେ ଚାଲିଥିବା ବର୍ତ୍ତମାନର ସମସ୍ତ ପ୍ରକଳ୍ପ ସହ ଆଗାମୀ ପ୍ରକଳ୍ପରେ ମଧ୍ୟ ଏହା ଲାଗୁ ହେବ। ମୁଖ୍ୟ ଯନ୍ତ୍ରୀଠାରୁ ନିର୍ବାହୀ ଯନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶାବଳୀର କଡ଼ା ପାଳନ ସୁନିଶ୍ଚିତ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।

Related posts