ଘୋଡ଼ାରେ ବସି ‘ଦମନ’ କରିବେ ବାବୁସାନ.. ଭିନ୍ନ ଲୁକ ସହ ରିଲିଜ ହେଲା ‘ଦମନ’ର ପ୍ରଥମ ପୋଷ୍ଟର.

ବାବୁସାନଙ୍କ ନିଆରା ଚଳଚିତ୍ର ପୋଷ୍ଟର.. ଯାହାକୁ ନେଇ ଦ୍ୱନ୍ଦ୍ୱରେ ଦର୍ଶକ..୨୦୨୧ ସରିଆସୁଥିବା ବେଳେ ଖ୍ରୀଷ୍ଟମାସରେ ନିଜ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି ସୁପରଷ୍ଟାର ବାବୁସାନ୍ । ଖୁବଶୀଘ୍ର ସିନେ ପରଦାକୁ ଆସୁଥିବା ତାଙ୍କର ଏକ ଚଳଚିତ୍ରର ପୋଷ୍ଟର ସେ ନିଜ ସୋସିଆଲ ମିଡିଆ ମାଧ୍ୟମରେ ଡିସେମ୍ବର ୨୫ରେ ସେୟାର କରିଥିଲେ । ଚଳଚିତ୍ରଟିର ନାଁ ହେଉଛି ‘ଦମନ’। ଭିନ୍ନ ଓ ନୂତନ ଧରଣର କାହାଣୀ ଥିବା ଓଡିଆ ଚଳଚିତ୍ରକୁ ନେଇ ରଜରେ ନିଜ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି ଚକଲେଟ୍ ହିରୋ ବାବୁସାନ୍ । ରଜ ମଉଜରେ ସିନେପ୍ରେମୀ ଦେଖିବେ ବାବୁସାନଙ୍କର ଏହି ନୂଆ ଅବତାର । ଏମିତି ବି କରୋନା ମହାମାରୀ ପାଇଁ ଗତ ୨ ବର୍ଷ ହେବ ପୂଜା ବଜାର ଥଣ୍ଡା ପଡିଯାଇଛି.. ଯାହାଫଳରେ ବିଶେଷ ଓଡ଼ିଆ ଫିଲ୍ମ ଓଟିଟି ପ୍ଲାଟଫର୍ମ ଗୁଡିକରେ ରିଲିଜ ହେଉଥିଲା… କିନ୍ତୁ ଏତେ ଦିନ ପରେ ଏକ ବିଗ ବଜେଟ ଫିଲ୍ମ ସହ ପ୍ରକୃତ ଓଡ଼ିଆଙ୍କ କାହାଣୀ ନେଇ ବଡ଼ ପରଦାରେ ରିଲିଜ ହେବ ‘ଦମନ’ ତେବେ ଚଳଚିତ୍ରଟିର ପ୍ରଥମ ଲୁକ୍ ବା ପୋଷ୍ଟର ଦର୍ଶକଙ୍କ ସାମ୍ନାରେ ପ୍ରକାଶ କରାଯାଇଛି । ଏହି ଚଳଚିତ୍ରଟି ୨୦୨୨ ରଜରେ ମୁକ୍ତିଲାଭ କରିବାକୁ ଯାଉଛି । ତେବେ ଏହି ଚଳଚିତ୍ରର ପ୍ରଯୋଜକ ହେଉଛନ୍ତି ଦିପେନ୍ଦ୍ର ସାମଲ ଓ ଯୁବ ନିର୍ଦ୍ଦେଶକ ଭାବେ ପ୍ରସିଦ୍ଧ ବିଶାଲ ମୋର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି । ଜେପି ମୋଶନ ପିକଚର୍ସ ବ୍ୟାନରରେ ଏବଂ ମେନ୍ଟିସ ଫିଲ୍ମସ୍ ନିବେଦିତ ଦମନ ଚଳଚିତ୍ରଟି ଏକ ସତ୍ୟକାହାଣୀ ଉପରେ ଆଧାରିତ । ତେବେ ଏହି ପୋଷ୍ଟରରେ ପ୍ରଥମଥର ପାଇଁ ଚକ୍‌ଲେଟ୍ ହିରୋ ଏକ ଭିନ୍ନ ଅନ୍ଦାଜରେ ନଜର ଆସୁଛନ୍ତି । ପୋଷ୍ଟରରେ କେବଳ ଏକ ଘୋଡା ଉପରେ ବସି ଯାଉଥିବାର ବାବୁସାନ୍‌ଙ୍କ ଫିଲ୍ମର ଲୁକ୍ ଦେଖିବାକୁ ମିଳିଛି । ତେବେ ପୋଷ୍ଟରକୁ ଦେଖି କାହାଣୀ ଅନୁମାନ କରିବାରେ ବ୍ୟସ୍ତ ହେଲେଣି ସିନେପ୍ରେମୀ । କାହିଁକି ନା ବାବୁସାନ୍‌ଙ୍କ ପୂର୍ବ ଚଳଚିତ୍ରରୁ ଏହା ସଂମ୍ପୂର୍ଣ୍ଣ ଅଲଗା ପରିଲକ୍ଷିତ ହେଉଛି । ପ୍ରଥମଥର ପାଇଁ ପୋଷ୍ଟରଟି ରିଲିଜ ହେବା ପରେ ଦର୍ଶକଙ୍କ ମନରେ ଢେର୍ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଦମନର ଦୁଇ ନିର୍ଦ୍ଦେଶକଙ୍କ ଅନୁସାରେ ଏଥର ଦମନରେ ବାବୁଙ୍କ ଅନ୍ଦାଜ ସବୁ ଚଳଚିତ୍ରଠାରୁ ପୁରା ଭିନ୍ନ ରହିବ । ତାସହ ଓଡିଆ ଚଳଚିତ୍ର ଜଗତରେ ଏହି ଫିଲ୍ମ ଏକ ନୂଆ ଟ୍ରେଣ୍ଡ ସୃଷ୍ଟି କରିବ । ତେବେ ରଜରେ ଏକ ଜବରଦସ୍ତ କାହାଣୀ ସହ ଓଡିଶାବାସୀଙ୍କ ହୃଦୟ ଜିତିବାର ଆଶା ନେଇ ଏହି ଦୁଇ ଯୁବ ନିର୍ଦ୍ଦେଶକ ମଧ୍ୟ ଉତ୍ସାହିତ ଅଛନ୍ତି ।ତେବେ ଏହି ଚଳଚିତ୍ରରେ ଏମିତି କଣ ପ୍ରକାଶିତ ହେବ, ଯାହା ସବୁ ଓଡ଼ିଆଙ୍କୁ ଏକ ନୂଆ ଛବି ଦେଖାଇବ..ତାହାହିଁ ଜାଣିବା ବାକି ରହିଲା..

Related posts