ସ୍ବାଧୀନତା ସଂଗ୍ରାମରେ ଓଡି଼ଶାର ଭୂମିକା

ସ୍ବାଧୀନତା ପାଇଁ ଭାରତର ପ୍ରଥମ ସଂଗ୍ରାମ ହେଉଛି ପାଇକ ବିଦ୍ରୋହ। ଭାରତ ଇତିହାସରେ ପ୍ରଥମ ଥର ପାଇଁ ବକ୍ସି ଜଗବନ୍ଧୁ ଭ୍ରମରବର ରାୟ ମହାପାତ୍ରଙ୍କ (ଯେ କି ଥିଲେ ଖୋର୍ଦ୍ଧା ରାଜାଙ୍କର ସଜନାପତି) ଅଧିନରେ ଇଂରେଜ ସରକାରଙ୍କ ବିରୋଧରେ ଆରମ୍ଭ ହୋଇଥିଲା ଏଇ ବିଦ୍ରୋହ। ୧୮୧୭ ମସିହାରେ ହଜାର ହଜାର ପାଇକମାନଙ୍କ ସାହାର୍ଯ୍ୟ ଓ ବୀରତ୍ବ ବଳରେ ସେତବେଳେ ଏ ସଂଗ୍ରାମ ହୋଇଥିଲା।

ବର୍ତ୍ତମାନ ଜାଣିବା କିଛି ଏପରି ସ୍ବାଧୀନତା ସଂଗ୍ରାମୀଙ୍କ ବିଶୟରେ ଯେ ଏ ଜାତି ପାଇଁ ଏ ଦେଶ ପାଇଁ ନିଜର ପ୍ରାଣବଳୀ ଦେଇ ଦେଇଛନ୍ତି। ଯାହାଙ୍କ ପାଇଁ ଆମେ ଆଜି ଆନନ୍ଦରେ ଦିନ କାଟୁଛେ।

ବାଜି ରାଉତ:


୧୮୩୮ ମସିହା ଅକ୍ଟୋବର ୧୦ ତାରିଖ ଦିନ ଦୁଇପହରଟାରେ
ନିଜ ଡଙ୍ଗା ଉପରେ ଥାଏ ଢେଙ୍କାନାଳର ସେହି ସାହାସୀ ବାଳକ ବାଜି ରାଉତ। ଦୂରରୁ ଦେଖିପାରିଲା ଗୋରା ସାହେବ ମାନେ ତା ଆଡେ ମାଡି଼ ଆସୁଛନ୍ତି। ମନରେ ଟିକେ ମଧ୍ୟ ଡର ନଥାଏ। ବାଜିକୁ କହିଲେ ଡଙ୍ଗା ଆଣି ଏ କୁଳରେ ଲଗାଇବା ପାଇଁ କିନ୍ତୁ ଦେଶଭକ୍ତ ବାଜି ସଫା ସଫା ମନା କରିଦେଲା। କହିଲା “ଯା ଯା ନାଲି ଆଖି ଆଉ କାହାକୁ ଦେଖାଇବ”। ପ୍ରଜାମଣ୍ଡଳର ଆଦେଶ ନାଇଁ ତୁମ ମାନଙ୍କୁ ନଦୀ ପାର କରାଇବାକୁ। ସେହି ସମୟରେ ପ୍ରଜାମଣ୍ଡଳର ଅନେକ ସଦସ୍ୟ ଆସିଗଲେ ଓ ଉଭୟ ଇଂରେଜ ଓ ମଣ୍ଡଳ ସଦସ୍ୟଙ୍କ ମଧ୍ୟରେ ଯୁକ୍ତି ହେଲା। ଶେଷରେ ଗୁଳି ଫୁଟିଲା ଓ ପ୍ରଜାମଣ୍ଡଳ ସଦସ୍ୟଙ୍କ ମଧ୍ୟରୁ ୪ଜଣ ସହୀଦ ହୋଇଗଲେ ଏବଂ ସେହି ଡଙ୍ଗାରେ ଚାଲିଗଲା ବାଜି ରାଉତର ଜୀବନ, ଶେଷ ସମୟରେ ପାଟିରେ ଥିଲା,” ପ୍ରଜାମଣ୍ଡଳର ଜୟ”। ତେବେ ଏ ଜାତି ସେହି ପରି ମହାନ ବାଳକୁ ଭୁଲି ପାରିବ ନାହିଁ।

କଷ୍ଟିଡାକୁଆ:
କଷ୍ଟିଡାକୁଆଙ୍କ ଘର ନୟାଗଡ଼ ମହିପୁର ଠାରୁ ପ୍ରାୟ ୧୦/୧୧ କି.ମି. ଦୂର ଜଙ୍ଗଲ ମାଳ ଅଞ୍ଚଳ ପାହାଡ଼ ପର୍ବତର ପାଦ ଦେଶରେ କୁସବିଡ଼ା ଗ୍ରାମରେ । ସେ ୧୮୯୭ ଖ୍ରୀଷ୍ଟାବ୍ଦରେ ପିତା ଅର୍ଜୁନ ଡାକୁଆ ଓ ମାତା ନାରବାଙ୍କର ଦ୍ଵିତୀୟ ସନ୍ତାନ । ସେହି କଷ୍ଟି ଡାକୁଆ ମହାତ୍ମା ଗାନ୍ଧୀଙ୍କ ‘କର ବା ମର’ କଥା ସମସ୍ତଙ୍କୁ ଶୁଣାଇ ଅନୁପ୍ରାଣିତ କରିପାରିଥିଲେ । ୧୯୪୨ ମସିହା ଅକ୍ଟୋବର ୯ ତାରିଖରେ ଗୋରା ଶାସନ ଓ ରାଜତନ୍ତ୍ର ଶାସନ ହେବା ପାଇଁ ସମସ୍ତଙ୍କୁ ବୁଝାଇଥିଲେ । ସେଦିନ ଆନନ୍ଦଚନ୍ଦ୍ର ସ୍ଵାଇଁଙ୍କ ନେତୃତ୍ଵରେ ସେଠାକୁ ଆସିଥିବା ପ୍ରଜାମଣ୍ଡଳ କର୍ମୀଙ୍କ ସହ ସ୍ଥାନୀୟ କର୍ମୀମାନେ କଷ୍ଟି ଡାକୁଆଙ୍କ ଆତିଥ୍ୟ ଗ୍ରହଣ କରିଥିଲେ । ପରଦିନ କଷ୍ଟି ଡାକୁଆଙ୍କ ଗ୍ରାମର ବରକୋଳାମାଳ ଅଞ୍ଚଳର ବିପ୍ଳବୀ ଜନତାଙ୍କୁ ଦୁଇ ଭାଗ କରାଯାଇ ଗୋଟିଏ ଦଳର ନେତୃତ୍ଵ ନେଲେ ଆନନ୍ଦଚନ୍ଦ୍ର ସ୍ଵାଇଁ ଓ ଅନ୍ୟଟିର ନେତୃତ୍ଵ ନେଲେ କଣ୍ଡୁରୀ  ପରିଡ଼ା । ନୂଆଗାଁ ଥାନାକୁ ଭାଙ୍ଗିବା, ସରକାରୀ କୋଠାବାଡ଼ି ଧ୍ଵଂସ କରିବା ଓ ଏ ଅଞ୍ଚଳରୁ ରାଜତନ୍ତ୍ର ଲୋପ କରିବାକୁ ସେହି ଦିନ ପ୍ରସ୍ତାବ ନିଆଗଲା । ଏ ପଟୁଆରରେ ଅନେକ ଥିଲେ ଆଦିବାସୀ ଓ କନ୍ଧ ସଂପ୍ରଦାୟର ଲୋକ । ଆନନ୍ଦ ସ୍ୱାଇଁଙ୍କ ଦଳ ପ୍ରଥମେ ମାଳ ଅଞ୍ଚଳ ବରକୋଳା ଡାକବଙ୍ଗଳାରେ ପହଞ୍ଚିଲେ । ଡାକବଙ୍ଗଳା କର୍ମଚାରୀ ଓ ୭/୮ ଜଣ ପୋଲିସ ଏମାନଙ୍କ ଡାକ ଶୁଣି ନିଜର ବନ୍ଧୁକ, ଗୁଳିଗୋଳା ଛାଡ଼ି ଜଙ୍ଗଲକୁ ଦୌଡ଼ି ପଳାଇ ଗଲେ । ପରେ ବଙ୍ଗଳାରେ ବିପ୍ଳବୀ ମାନେ  ନିଆଁ ଲଗାଇ ଦେଲେ। ଅନ୍ୟ ଦଳଙ୍କୁ ଧରି ପଟୁଆରରେ ଆସି ମିଳିତ ହେଲେ ବିପ୍ଳବୀ କଷ୍ଟି ଡାକୁଆ । ସେ ହାତରେ ପତାକା ଧରି ଲୋକଙ୍କୁ ଉତ୍ସାହିତ କରୁଥାନ୍ତି । ଏ ସମସ୍ତ ଥାନା ପାଖରେ ପହଞ୍ଚଲାପରେ ଥାନାର ଭାରପ୍ରାପ୍ତ ପୋଲିସ ସବ୍-ଇନିସ୍‌ପେକ୍ଟର ବେଣୁଧର ପଟ୍ଟନାୟକ ଶୋଭାଯାତ୍ରାର ଜୟଧ୍ଵନି ଶୁଣି ଓ ତାଙ୍କର ଗତିବିଧ ଲକ୍ଷ୍ୟ କରି ଗୁଳି ଚଳାଇବାକୁ ଆଦେଶ ଦେଲେ । ଏଣେ କଷ୍ଟି ଡାକୁଆଙ୍କ ଦଳ ଆଗକୁ ଆଗକୁ ମାଡ଼ି ଚାଲିଥାନ୍ତି । ଅପରପକ୍ଷରୁ ଶିଖି  ମନାଇଙ୍କ ସହ ପୋଲିସ ବାହିନୀ ପହଞ୍ଚିଥାନ୍ତି । ଭାରପ୍ରାପ୍ତ ପୋଲିସ ଅଫିସର, ସବ –  ଇନିସ୍‌ପେକୁର ବେଣୁଧର ପଟ୍ଟନାୟକଙ୍କ ପାଟିରୁ କଥା ନସରୁଣୁ ଲିଙ୍ଗା ନାୟକ ଧଡ଼ପଡ଼ ହୋଇ ଗୁଳି ଚଳାଇଥିଲେ । ସେ ଗୁଳି କଷ୍ଟି ଡାକୁଆଙ୍କ ପେଟରେ ବାଜିଲା । ସେ ପେଟରେ ହାତ ରଖି ଉଚ୍ଚକଣ୍ଠରେ କହି ଉଠିଲେ – ଭାରତ ମାତାକି ଜୟ, ମହାତ୍ମା ଗାନ୍ଧୀ କି ଜୟ ମୁକ୍ତି ସଂଗ୍ରାମୀ ଜନତାଙ୍କୁ କୌଣସି ସଙ୍କେତ ନଦେଇ ପୋଲିସର ବନ୍ଧୁକରୁ ଗୁଳି ଫୁଟି ଉଠିଲା । ଏଥିରେ କେତେ ଆହତ ହେଲେ । ଆହାତ ଅବସ୍ଥାରେ କ୍ଷେତ୍ରବାସୀ ପରିଡ଼ା, ବାଉରୀବନ୍ଧୁ ପରିଡ଼ା ଓ ମଙ୍ଗୁ ପଳାଇବାରୁ ଅନ୍ୟମାନେ ମଧ୍ୟ ପଳାଇଲେ । ଏକଥା ବେଣୁଧର ପଟ୍ଟନାୟକ ରାଜାଙ୍କୁ ଜଣାଇବାରୁ ରାଜା ବେଣୁଧର ପଟ୍ଟନାୟକଙ୍କୁ ବୀରବର ଉପାଧି  ଓ ଲିଙ୍ଗା ନାୟକଙ୍କୁ ଧପଡ଼ ସିଂହ ଉପାଧି  ଦେଇଥିଲେ ।ତିରିଶ ବର୍ଷ ବୟସରେ ବିପ୍ଳବୀ କଷ୍ଟି ଡାକୁଆ ୧୯୪୨ ମସିହା ଅକ୍ଟୋବର ୧୦ ତାରିଖରେ ଦେଶ ପାଇଁ ପ୍ରାଣବଳୀ ଦେଇ ନୟାଗଡ଼ ଇତିହାସରେ ଏକ ଜ୍ବଳନ୍ତ ତାରକା ଓ ଅମର ହୋଇ ରହିଛନ୍ତି ।

ରଘୁଦିବାକର:
ରଣପୁର ରାଜାଙ୍କ ଅମଳରେ ଚାଲିଥିବା, ‘ସଡ଼କ ବେଠି’ରେ ନିରିହ ପ୍ରଜାମାନଙ୍କୁ ଉପରେ ଚାଲିଥିବା ଦାରୋଗାର ଜୁଲମ ତାଙ୍କ ମନରେ ଘୋର ଆଲୋଡନ ସୃଷ୍ଟି କରିଥିଲା । ଗଡ଼ଜାତୀ ଅନ୍ୟାୟ ଓ ଜୁଲମର ବିରୋଧରେ ସେମାନେ ଚାକିରିରୁ ଇସ୍ତଫା ଦେଇ ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୩୯ ମସିହା ଜାନୁଆରୀ ମାସ ୫ ତାରିଖ, ପୌଷ ପୂର୍ଣ୍ଣିମାଦିନ ପ୍ରଜାମଣ୍ଡଳର ଆହ୍ୱାନକ୍ରମେ ରଣପୁର ଗଡ଼ ରାଜ ଉଆସ ସାମ୍ନାରେ ପ୍ରବଳ ଜନସମାଗମ ହୋଇଥିଲା । ଏହି ଜନ ସମାଗମକୁ ଦମନ କରିବାକୁ ଆସିଥିବା ଫିରିଙ୍ଗି ରାଜନୈତିକ ଏଜେଣ୍ଟ ବେଜେଲଗେଟ, ସେଠାରେ ଘଟିଥିବା ଗଣ୍ଡଗୋଳରେ ନିହତ ହୋଇଥିଲେ । ବେଜେଲଗେଟଙ୍କ ମୃତ୍ୟୁ ପାଇଁ ବିଦ୍ରୋହୀ ଦିବାକର ଓ ତାଙ୍କ ସାଥୀ ରଘୁନାଥଙ୍କୁ ଦାୟୀ କରି ଗିରଫ କରାଗଲା । ଫିରିଙ୍ଗି ବିଚାରପତି ସିଅରରଙ୍କ ଅଦାଲତରେ ଦିବାକର ଓ ରଘୁନାଥଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡାୟିତ କରାଗଲା । ୧୯୪୧ ମସିହା ଅପ୍ରେଲ ମାସ ୪ ତାରିଖ ପ୍ରାତଃ କାଳରେ ବିହାର ଭାଗଲପୁର ଜେଲରେ ରଘୁ-ଦିବାକରଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଗଲା ।

ଚାଖି ଖୁଣ୍ଟିଆ:


ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀ ୧୮୨୭ ମସିହା ଶାମ୍ବ ଦଶମୀ ଦିନ ପୁରୀ ହରଚଣ୍ଡୀ ସାହିରେ ଜନ୍ମ ନିଅନ୍ତି । ଅସାଧାରଣ ବାହୁ ବଳରେ ବଳିଆନ ଥିଲେ ଏହି ସଂଗ୍ରାମୀ ଜଣଙ୍କ । ଯିଏକି ୧୮ ୫୭ ମସିହାରେ ଭାରତର, ସିପାହୀ ବିଦ୍ରୋହ ବେଳେ ପଶ୍ଚିମାଞ୍ଚଳର ହିନ୍ଦୁ ନେପାଳୀ ସୈନିକଙ୍କୁ ମତାଇ ଥିଲେ ଇଂରେଜ ମାନଙ୍କ ବିରୋଧରେ ।ମାଟି କୁସ୍ତିରେ ପ୍ରସିଦ୍ଧ ରଖିଥିବା ଏହି ଯୋଦ୍ଧା ଭାରତର ସିପାହୀ ମାନଙ୍କୁ ତାଲିମ ଦେବା ସହିତ ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । କେବଳ ସେତିକି ନୁହେଁ ସେ ମହାପ୍ରଭୁଙ୍କର ସେବକ ଥିଲେ , ଜଗନ୍ନାଥ ଦର୍ଶନର ପ୍ରଚାର କରିବା ସହିତ ଝାନ୍ସୀରାଣୀ ଲକ୍ଷ୍ମୀବାଇଙ୍କ ପରାମର୍ଶ ଦାତା ଭାବେ ମଧ୍ୟ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ ।

ଜୟୀ ରାଜଗୁରୁ:
ଇଂରେଜମାନଙ୍କ ବିରୁଦ୍ଧରେ ଜୟକୃଷ୍ଣ ରାଜଗୁରୁ ମହାପାତ୍ର (ଜୟୀ ରାଜଗୁରୁ) ଭାରତର ପ୍ରଥମ ଶହୀଦ ଭାବେ ପରିଚିତ। କିନ୍ତୁ ଏହା ବିବାଦିତ।୧୮୦୩ରେ ଇଂରେଜମାନେ ଓଡ଼ିଶାକୁ ଅକ୍ତିଆର କରିବା ପରେ ଖୋରଧା ରାଜାଙ୍କଠାରୁ କର ମାଗିଲେ ଓ ସେମାନଙ୍କ ବଶ୍ୟତା ସ୍ୱୀକାର କରିବାକୁ ଆଦେଶପତ୍ର ପଠାଇଲେ । ଏହା ତାଙ୍କର ସ୍ୱାଭିମାନକୁ ପ୍ରଚଣ୍ଡ ଆଘାତ ଦେଲା । ‘ପଛେ ଜୀବନ ଦେଇ ଦେବା ଇଂରେଜଙ୍କ ଆଗରେ ମୁଣ୍ଡ ନୁଆଁଇବା ନାହିଁ’ ବୋଲି କହି ସେ ପ୍ରତ୍ୟେକ ଘରୁ ଜଣକୁ ସୈନିକ କରି ନିଜ ସେନାବାହିନୀରେ ମିଶାଇଲେ ।୧୮୦୪ରେ ମହାନଦୀ କୂଳରେ ସେ ପ୍ରଥମଥର ଇଂରେଜମାନଙ୍କ ଉପରେ ଆକ୍ରମଣ କରିଥିଲେ।
୧୮୦୬ ମସିହା ଡିସେମ୍ବର ୬ ତାରିଖରେ ତାଙ୍କୁ ଇଂରେଜମାନେ ଅତି ନୃଶଂସ ଭାବେ ହତ୍ୟା କଲେ । ଗୋଟିଏ ବରଗଛର ଦୁଇଟି ଡାଳ ଟାଣି ଆଣି ତାଙ୍କର ଦୁଇ ଗୋଡ଼ରେ ବାନ୍ଧି ଡାଳ ଦୁଇଟିକୁ ଛାଡ଼ି ଦେଇଥିଲେ । ରାଜଗୁରୁଙ୍କର ଶରୀର ନିମିଷକ ମଧ୍ୟରେ ଦୁଇଫାଳ ହୋଇଗଲା । ସେଇ ମହାନ୍ ପଣ୍ଡିତ, ସୁଦକ୍ଷ ପ୍ରଶାସକ, ନିଭୀକ ବୀର ଜୟୀ ରାଜଗୁରୁଙ୍କ କଥା ଆଜି ମଧ୍ୟ ପ୍ରତ୍ୟେକ ଓଡ଼ିଆ ପ୍ରାଣରେ ଉଜ୍ଜୀବିତ ହୋଇ ରହିଛି

ଇଏ ଥିଲା କିଛି ଇତିହାସର ସ୍ମୃତି ଯାହା ପାଇଁ ଏହି ଓଡି଼ଶା ମାଟି ଗର୍ବ କରେ।ଏହିପରି ଅନେକ ସ୍ବାଧୀନତା ସଂଗ୍ରାମୀ ଅଛନ୍ତି ଯିଏକି ଆମ ପାଇଁ ଆମର ଏ ମାଟି ପାଇଁ ନିଜର ଜୀବନକୁ ତ୍ୟାଗ କରି ଦେଇଛନ୍ତି। ତାଙ୍କ ମଧ୍ୟରୁ ଆମେ କିଛି ଉପସ୍ଥାପନା କରିଛେ। ଆମେ ଆଜି ଇଂରେଜଙ୍କ ଠାରୁ ନା ପ୍ରତ୍ୟେକ୍ଷ ଭାବେ ସ୍ବାଧୀନତା ପାଇଛେ କିନ୍ତୁ ଆମେ ପରୋକ୍ଷ ଭାବେ ଆଜି ମଧ୍ୟ ପରାଧୀନ।

ଉପସ୍ଥାପନା: ଆଫତାବ

Related posts