90 ଦଶକର ପିଲାମାନେ ହିଁ କେବଳ ଜାଣିପାରିବେ ଏହି ଖେଳ | ଆମ ସମୟର ହଜି ଯାଉଥିବା ଖେଳ |

90s-nostalgic-outdoor-games

ଆଜି ଆଉ ଆସନ୍ତାକୁ ନାହିଁ ହୋଇଯାଉଛି ଅତୀତ। ସେହିପରି ଅନେକ ପାଲଟିଯାଇଛି ଇତିହାସ। କଳା ସଂସ୍କୃତି ଠାରୁ ଆରମ୍ଭ କରି ମନୁଷ୍ୟ ପର୍ଯ୍ୟନ୍ତ ଯାହା ଆଜି ଅଛି ତାହା ଆସନ୍ତା କାଲିକୁ ରହିବ ବୋଲି ଆମେ କହିପାରିବା ନାହିଁ। ଅତୀତରେ ଏପରି ବହୁତ ଘଟଣା ଘଟିଛି ଯାହା ମଧ୍ୟ ଆମେ ଜାଣିନେ ଓ ଅନେକ ମହାପୁରୁଷ ମଧ୍ୟ ଆସିଛନ୍ତି ଯାହାଙ୍କ ବିଶୟରେ ଆମେ ଅଗୋଚର ନୁହେଁ। ସେହିପରି କିଛି ମଧ୍ୟ ଆମ ସମୟରେ ଘଟିଛି। ତାହା ଘଟିଛି ଆମ ଜୀଵନଚର୍ଯ୍ୟାର ଏକ ଅଙ୍ଗ ଆମେ ନିତିଦିନିଆ ଖେଳ ଉପରେ।

ବାସ୍ତବରେ ସମୟ ବହୁତ ବଳବାନ ସମୟ ତାର ସ୍ରୋତରେ ସମସ୍ତଙ୍କୁ ନେଇ ଚାଲିଯାଇଛି। ତାହା ମଧ୍ୟରୁ ଗୋଟିଏ ହେଉଛି ଆମ ଖେଳ। ଆଜକୁ କେଇ ବର୍ଷ ତଳେ ଆମେ ବା ଆମ ବାପା ଅଜା ମାନେ ଯେଉଁ ସବୁ ଖେଳ ଖେଳୁଥିଲେ ତାହା ଆଜି ଆଉ ଆମ ସମୟରେ ବା ଆମ ଆଗମୀ ପିଢି଼ ସମୟରେ ନାହିଁ। ସ୍ଥିତି ରହିନାହିଁ ଆଉ ଏ ସମାଜରେ ସେହି ଖେଳର।କିନ୍ତୁ ସେତବେଳେ ସେ ଖେଳର ଯେଉଁ ମଜା ରହୁଥିଲା ସାଙ୍ଗ ସଙ୍ଗାତ ଗହଣରେ ପ୍ରତ୍ୟେକ୍ଷ ଭାବେ ଯେବେ ସେ ଖାଳକୁ ଖେଳାଯାଏ ପ୍ରକୃତ ଆନନ୍ଦର ଅନୁଭୁତୀ ମିଳିଥାଏ।ହେଲେ ଆଜି ଆଉ ସେ ଯୁଗ ନାହିଁ।

ବର୍ତ୍ତମାନ ସମାଜରେ ଖେଳର ମୁଖ୍ୟ ସ୍ରୋତ ହେଉଛି ଚଳଭାଷ ବା MOBILE, ଏହା ହିଁ ପାଲିଟିଛି ଯୁବ ସମାଜ ବୋଲି ନୁହେଁ ଆବାଳ ବୃଦ୍ଧ ବନିତାଙ୍କ ପାଇଁ ମନୋରଞ୍ଜନର ସ୍ରୋତ। ଯେତବେଳେ ଆଗକାଳରେ ଦୁଆରର ବଡ଼ ପିଣ୍ଡାରେ ଜେଜେ ଠାରୁ ଆରମ୍ଭ କରି ପିଉସି ପର୍ଯ୍ୟନ୍ତ ବସି ଗପସପ ହେବା ବା ଖେଳିବା ତାହା ବର୍ତ୍ତମାନ ସ୍ବପ୍ନ। ନା ଅଛି ବାରଣ୍ଡା ନା ଅଛି ଯୌଥ ପରିବାର। ତେବେ ଏ ମୋବାଇଲର ଉପକାରିତା ଥିଲେ ମଧ୍ୟ ଅପକାରିତା ମଧ୍ୟ ରହିଛି। ପରିବାରର ସ୍ରୋତ ବା ଶୃଙ୍ଖଳକୁ ଭାଙ୍ଗିବାର ମୁଖ୍ୟ କାରଣ ଏହି ମୋବାଇଲ।

ଯେଉଁ ଖେଳପାଇଁ ଆମେ ଶାରୀରିକ ମାନସିକ ଭାବରେ ସମ୍ପୁର୍ଣ୍ଣ ସୁସ୍ଥ ରହୁଥିଲେ।ରୋଗର ବହୁତ କମ ଲକ୍ଷଣ ଥିଲା ସେ କାଳରେ କାରଣ ସେତବେଳେ ସମସ୍ତେ ଖେଳ ଓ କସରତରେ ପାରଙ୍ଗମ ଥିଲେ। ତେଣୁ ସେ ସମ୍ପୁର୍ଣ୍ଣ ସୁସ୍ଥ ରହୁଥିଲେ ଓ ଭବିଷ୍ୟତରେ ମଧ୍ୟ ଦକ୍ଷ ଭାବରେ ସମସ୍ତ କର୍ମ କରି ପାରୁଥିଲେ। କିନ୍ତୁ ତାହା ବର୍ତ୍ତମାନ ଆଉ ନାହିଁ ଏବେ ସମସ୍ତ ଟଙ୍କା ଖର୍ଚ୍ଚ କରି ନିଜକୁ ଶରୀରିକ ସୁଦୃଢ଼ କରାଉଛନ୍ତି।

ତେବେ ଆଜି ଆମେ କଥା ହେବେ ସେହିପରି କିଛି ହଜିଯାଇଥିବା ଖେଳ ଉପରେ ଯାହାକୁ ଖେଳି ସେତବେଳେ ଖୁବ ମନୋରଞ୍ଜନ କରୁଥିଲେ ଆମ ବାବା ଜେଜେବାପା ମାନେ। କିନ୍ତୁ ଆଜି ତାହା ଇତିହାସ।

ପୁଚି ଖେଳ

ପୁଚି:- ଗାଁ ଗହଳିରେ ସାଧାରଣତଃ ଝିଅମାନେ ପୁଚି ଖେଳକୁ ବହୁତ ଭଲ ପାଆନ୍ତି ଓ ଖେଳନ୍ତି ମଧ୍ୟ। ସେତବେଳେ ରଜରେ ଏ ଖେଳକୁ ବିଶେଷ ଭାବରେ ଖେଳାଯାଏ ପ୍ରାୟତଃ ଆଠରୁ ଦଶଜଣ ଝିଅ ଏକାଠି ହୋଇ ବୁତ୍ତାକାର ହେଉ ଅବା ଧାଡି଼ରେ ପୁଚି ଖେଳିଥାନ୍ତି। ଏହା ଏକ ପ୍ରକାର ଝିଅ ମାନଙ୍କର ବ୍ୟାୟାମ ମଧ୍ୟ ଓ ଏହା ବିଜ୍ଞାନ ସମ୍ମତ ଏ ଖେଳ ଖେଳିଥିଲେ ଜନନୀ ହେବା ସମୟରେ ବିଶେଷ କଷ୍ଟ ଅନୁଭବ ହୁଏ ନାହିଁ। କିନ୍ତୁ ଆଜି ଏ ଖେଳ ଆଉ ଦେଖିବାକୁ ମିଳୁନି,ତେଣୁ ଝିଅମାନଙ୍କର ବ୍ୟାୟାମର ଅଭାବ ହେତୁ ଶାରୀରିକ ଦୁର୍ବଳ ମଧ୍ୟ ସେ ଅନୁଭବ କରୁଛନ୍ତି।

ନଟୁ ଖେଳ

ନଟୁ:- ନଟୁ ଗୋଟିଏ ନାମ ପରି ଲାଗିଲେ ମଧ୍ୟ ଏହା ଏକ କୌଶଳର ଖେଳ। ଏହା କାଠରେ ତିଆରି ଶଙ୍କୁ(cone) ଭଳି ଯାହର ଉର୍ଦ୍ଧ୍ବରୁ ନିମ୍ନ ଭାଗ ଯାଏ ଏକ ଲୁହାର କଣ୍ଟା ସଂଯୁକ୍ତ ହୋଇଥିବ ଏହି ଶଙ୍କୁର ଭିତର ପାର୍ଶ୍ବରେ। ଏହାକୁ ଏକ ସୁତା ଦ୍ବାର ଗୁଡାଯାଇ ମାଟିକୁ ବା ଚଟାଣକୁ ନିକ୍ଷେପ କଲେ ଏହା ତୀବ୍ର ଭାବରେ ଘୁରିବା ଆରମ୍ଭ କରିଥାଏ ସୁନ୍ଦର ମଧ୍ୟ ଲାଗିଥାଏ। ଏହାକୁ କିଛି ପିଲାମାନେ ନିଜର ହାତରେ ମଧ୍ୟ ଘୁରାଇ ଦେଇଥାନ୍ତି। ଏହା ଏକ ଏକକ ଖେଳ ହୋଇଥିଲେ ମଧ୍ୟ ଏହାକୁ ନେଇ ପ୍ରତିଯୋଗିତା ମଧ୍ୟ ପିଲାମାନେ କରିଥାନ୍ତି।

ବାଟି ଖେଳ

ବାଟି ଖେଳ:- କାଚ ବାଟି, ହାଡ଼ ବାଟି ପ୍ରଥମେ ପ୍ରଥମେ ଏହି ଖେଳକୁ ବହୁତ ପିଲାମାନେ ଖେଳୁଥିଲେ। ଏ ଖେଳ ଏକ ନିଆରା ଖେଳ, ହେଲେ ଏହାକୁ କିଛି ଲୋକ ଘୃଣ୍ୟ ଦୃଷ୍ଟିରେ ମଧ୍ୟ ଦେଖିଥାନ୍ତି। କିନ୍ତୁ ସତ କଥା ହେଲା ପ୍ରତ୍ୟେକ କର୍ମ ପରି ପ୍ରତ୍ୟେକ ଖେଳ ମଧ୍ୟ ସମାନ। ତେବେ ଏ ଖେଳରେ ଛୋଟ ଛୋଟ ଗାଲାକାର ପେଣ୍ଡୁ ଯାହାକୁ ଆମେ ବାଟି କହୁଛେ ଗୋଟିଏକୁ ଲକ୍ଷ୍ୟ କରି ଅନ୍ୟଟିକୁ ତାହାକୁ ଫିଙ୍ଗାଯାଏ ବା ମରଯାଏ। ଏବଂ ଏ ଯେଉଁ କାଚବାଟି ଏହା ଦେଖିବାକୁ ବହୁତ ସୁନ୍ଦର ଓ ଦୃଷ୍ଟି ଆକର୍ଷଣ କରିଥାଏ।

ଗୁଲି ଦଣ୍ଡା

ଗୁଲି ଦଣ୍ଡା ବା ଗୁଲି କୁଆ:- ଏ ହେଉଛି ବାଡି଼ର ଖେଳ। ଗୋଟିଏ ବଡ଼ ବାଡି଼ ଯାହାକୁ ଗୁଲି କୁହାଯାଏ ଓ ଅନ୍ୟଟି ତାହାଠାରୁ ବହୁତ ଛୋଟ ଯାହାକୁ କୁଆ କୁହାଯାଏ। ଏହାକୁ ଦୁଇଟି ଦଳ ମଧ୍ୟରେ ଖେଳାଯାଏ,ଏକ ସମାନ୍ୟ ଗାତ କରି ସେଥିରେ ଛୋଟ କୁଆଟିକୁ ରଖାଯାଏ ଓ ବଡ଼ ବାଡି଼ରେ ସେହି କୁଆଟିକୁ ଗୋଟିଏ ଦଳର ପିଲାଟିଏ ଫିଙ୍ଗିଥାଏ। ସେହି କୁଆଟି ଯେଉଁଠି ପଡି଼ଥାଏ ତାହାକୁ ସେ ସ୍ଥାନରେ ହିଁ ଅନ୍ୟ ଦଳର ପିଲା ସେହି ଗାତ ଉପରେ ଥିବା ଗୁଲିକୁ ଲକ୍ଷ୍ୟକରି ଫିଙ୍ଗିଥାନ୍ତି ଯଦି ସେହି ଗୁଲିରେ କୁଆଟି ବାଜିଲା ତେବେ ପ୍ରଥମ ଦଳର ଯେଉଁ ପିଲାଟି ଗୁଲି ସାହାଯ୍ୟରେ ସେହି କୁଆଟିକୁ ଫିଙ୍ଗିଥିଲା ସେ ଦଳରୁ ବାହାରିପଡେ଼ ବା ବାହାର କରିଦିଆଯାଏ। ଅନ୍ୟ ପକ୍ଷରେ ଯଦି କୁଆଟି ଗୁଲିରେ ନବେଜେ ତେଵେ ସେ ଗୁଲିରେ ମାରିଥିବା ପ୍ରଥମ ପିଲାଟି ତିନିଥର ପୁନଃ ସେହି ଗୁଲି ଦ୍ବାରୁ କୁଆକୁ ପିଙ୍ଗିଥାଏ। ଏହା ଅତି କୌତୁହଳ ଦାୟକ ଖେଳଟିଏ।

ବାସ୍କେଟ ବଲ

ବାସ୍କେଟ ବଲ:- ଇଂରାଜୀ ଶବ୍ଦ ହେଲେ ମଧ୍ୟ ଖେଳଟି ଓଡି଼ଆ। ଗୋଟିଏ ଦଳରେ ଚାରିରୁ ପାଞ୍ଚଜଣ ପିଲା ରହିଥାନ୍ତି। ଏହିଖେଳରେ ଗୋଟିଏ ପେଣ୍ଡୁ ଓ କିଛି ଖପରା ବା ଖଣ୍ଡ ପଥରର ଆବଶ୍ୟକତା ପଡେ। ଗୋଟିଏ ସ୍ଥାନରେ ଖଣ୍ଡ ଖପରା ବା ପଥରକୁ ଗୋଟିକ ଉପରେ ଗୋଟିଏ ସଜେଇ ରଖାଯାଏ ଘର ସଦୃଶ, ତାହାର କିଛି ଦୂରରେ ଏକ ଗାର ଟଣାଯାଇଥାଏ। ସେହି ଗାର ଉପରେ ଗୋଟିଏ ଦଳର ସମସ୍ତ ପିଲାମାନେ ଠିଆ ହୋଇ ରୁହନ୍ତି ନିର୍ଦ୍ଦିଷ୍ଟ ପିଲାଟି ପେଣ୍ଡୁ ସାହାଯ୍ୟରେ ସେହି ପଥର ବା ଖପରା ଶୃଙ୍ଖଳକୁ ଭାଙ୍ଗିଦିଏ। ପେଣ୍ଡୁଟି ଯାଇ ଯେଉଁଠାରେ ପଡେ ଅନ୍ୟଦଳର ପିଲାମାନେ ତାହାକୁ ଗୋଟାଇ ଆଣି ପ୍ରଥମ ଦଳର ପିଲାଙ୍କ ଶରୀରକୁ ନିକ୍ଷେପ କରନ୍ତି ଯାହା ଶରୀରରେ ପେଣ୍ଡୁଟି ସ୍ପର୍ଶ ହେଲା ହେ ବହିଷ୍କାର ହେବ କିନ୍ତୁ ସେ ପେଣ୍ଡୁଟି ଗୋଟାଇବା ସମୟରେ ଯଦି ପ୍ରଥମ ଦଳର ପିଲାମାନେ ସେଇ ଖପରାକୁ ସଜାଡି ପୁନଶ୍ଚ ଘର କରି ଦିଅନ୍ତି ତେବେ ପେଣ୍ଡୁ ତାଙ୍କ ଶରୀରରେ ବାଜିଲେ ମଧ୍ୟ ସେ ବହିଷ୍କାର ହେବେ ନାହିଁ। ମଜାଦୟାକ ଓ ରୋମାଞ୍ଚକର ଏ ଖେଳ ଆଉ ସେତେ ଦେଖିବାକୁ ମିଳେନା।

ଇଟିକିଲି ମିଟିକିଲି

ଇଟିକିଲି ମିଟିକିଲି:- କୌତୁକ ଭରା ଖେଳ ଏହା। ହାତର ଦଶ ଅଙ୍ଗୁଟିକୁ ନେଇ ଖେଳାଯାଏ ଏହାକୁ। ଏହାକୁ ଖେଳିଲା ବେଳେ ଏକ ଗୀତ ବୋଲିକରି ଖେଳାଯାଏ,ଗୀତଟି ଯେଉଁ ଆଙ୍ଗୁଠିରେ ସମାପ୍ତ ହେବ ସେହି ଆଙ୍ଗୁଠିଟିକୁ ଲୁଚା ହୋଇଯିବ। ଏହି ଖେଳର ଗୀତଟି ହେଉଛି, “ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ ତୁମର ଆମର ନାଲି ପାଇଁଚ ନାଲି ପେଁ ପେଁ ବଜାଏ ହୀରା ଗୋଟିକ ଉପରେ ଗୋଟିଏ ଜୀରା”। ଛୋଟପିଲା ମାନେ ଏହି ଖେଳକୁ ଖେଲିବାକୁ ବହୁତ ଭଲ ପାଇଥାନ୍ତି।

ଆମେ ଏଠାରେ କିଛି ଉଦାହରଣ ଦେଲୁ ଏହିପରି ଅନେକ ଖେଳ ଯେପରି, ଚୋର ପୁଲିସ,ବିଷ ଅମୃତ, ପାଣି ପାହାଡ଼ ଇତ୍ୟାଦି ଅନେକ ଖେଳ ଅଛି ଯାହା ଆଉ ପିଲାଙ୍କ ପାଖରେ ନାହିଁ।

ପ୍ରତ୍ୟେକ କର୍ମ ସହିତ କିଛି ନା କିଛି ବ୍ୟାୟାମ ଜଡି଼ତ। ଖେଳ ମଧ୍ୟ ଅନ୍ୟ ଏକ ପ୍ରକାର ବ୍ୟାୟାମ। ବର୍ତ୍ତମାନ ସମୟରେ ଯଦି ଆମେ ସେବେକା ଖେଳକୁ ଆପଣେଇବା ବା ଆମ ଶିଶୁମାନଙ୍କୁ ଜଣାଇବା ସେମାନେ ଶାରୀରିକ ସୁସ୍ଥ ରହିବା ସହ ଏ ଖେଳ ମଧ୍ୟ ବଞ୍ଚି ରହିବ।

ଉପସ୍ଥାପନା: ଆଫତାବ

Related posts