ନୂଆଦିଲ୍ଲୀ: ଦୀର୍ଘଦିନ ହେଲା ଜାତୀୟ ଦଳର ଜର୍ସି ପିନ୍ଧିନାହାନ୍ତି । ତଥାପି ଫେରିବାର ଆଶା ଛାଡ଼ିନାହାନ୍ତି ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି। ଆସନ୍ତା ସେପ୍ଟେମ୍ବର ମାସରେ ୩୬ ବର୍ଷରେ ପାଦ ଦେବାକୁ ଥିବା ଶାମିଙ୍କ ପାଇଁ ଏବେ ଏକମାତ୍ର ଲକ୍ଷ୍ୟ ୨୦୨୭ ଦିନିକିଆ ବିଶ୍ୱକପ୍ । ଏଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ଶାମି ଶେଷଥର ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ଖେଳିଥିଲେ । ଏହାପରଠାରୁ ଜାତୀୟ ଦଳରେ ସ୍ଥାନ ପାଇବା ତାଙ୍କ ପାଇଁ ସ୍ୱପ୍ନ ହୋଇଯାଇଛି । ଘରୋଇ କ୍ରିକେଟ୍ରେ କିନ୍ତୁ ସେ ଦବ୍ଦବା ଦେଖାଇଆସିଛନ୍ତି । ଗତ ରଣଜୀ ଟ୍ରଫିରେ ୭ଟି ମ୍ୟାଚ୍ରୁ ୩୭ ୱିକେଟ୍ ନେଇଥିବା ଶାମି ବିଜୟ ହଜାରେ ଟ୍ରଫିର ୭ଟି ମ୍ୟାଚ୍ରେ ମଧ୍ୟ ୧୫ ୱିକେଟ୍ ହାସଲ କରିଥିଲେ।
ପ୍ରତ୍ୟାବର୍ତ୍ତନ ପାଇଁ କେବଳ ବୋଲିଂ ନୁହେଁ, ଫିଟ୍ନେସ୍ ଉପରେ ମଧ୍ୟ ଶାମି ଜୋର୍ ଦେଉଛନ୍ତି। ଗତ ସିଜିନ୍ ପରେ ସେ ପ୍ରାୟ ୫ କିଲୋ ଓଜନ କମାଇଥିବା ବେଳେ ଆଗାମୀ ଘରୋଇ ସିଜିନ୍ ପାଇଁ କଠିନ ପରିଶ୍ରମ କରୁଥିବା ତାଙ୍କ କୋଚ୍ କହିଛନ୍ତି।
ଶାମିଙ୍କ ପାଇଁ ୨୦୨୭ ବିଶ୍ୱକପ୍ର ଆୟୋଜକ ଦକ୍ଷିଣ ଆଫ୍ରିକା ମଧ୍ୟ ଶୁଭଙ୍କର ସାବ୍ୟସ୍ତ ହୋଇପାରେ । କାରଣ ସେ, ଦକ୍ଷିଣ ଆଫ୍ରିକା ମାଟିରେ ୧୧ଟି ଅନ୍ତର୍ଜାତୀୟ ମ୍ୟାଚ୍ରୁ ୪୪ଟି ୱିକେଟ୍ ନେଇପାରିଛନ୍ତି । ଶାମିଙ୍କ ପ୍ରତ୍ୟାବର୍ତ୍ତନ ପଥ କଠିନ ହୋଇଥିଲେ ମଧ୍ୟ ଅଭିଜ୍ଞତା, ଘରୋଇ ପ୍ରଦର୍ଶନ ଓ ଦକ୍ଷିଣ ଆଫ୍ରିକାରେ ରେକର୍ଡ ତାଙ୍କ ଦାବିକୁ ଏବେ ବି ଜୀବନ୍ତ ରଖିଛି । ପ୍ରଶ୍ନ ଉଠୁଛି, ୨୦୨୭ ବିଶ୍ୱକପ୍ ପୂର୍ବରୁ ଶାମିଙ୍କ ପାଇଁ ପୁଣି ଖୋଲିବ କି ଟିମ୍ ଇଣ୍ଡିଆର ଦ୍ୱାର ?
