ଉତ୍କଳୀୟ ପର୍ବପର୍ବାଣି ଓ ପରମ୍ପରା ମଧ୍ୟରେ ବୋଇତ ବନ୍ଦାଣ ଏକ ପ୍ରମୁଖ ପର୍ବ ରୂପରେ ଗୃହୀତ |
ପ୍ରାଚୀନ କାଳରେ ଉତ୍କଳର ସାଧବ ପୁଅମାନେ ସମୁଦ୍ର ବକ୍ଷରେ ପୋତ ନେଇ ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଆଦି ଦ୍ଵୀପପୁଞ୍ଜମାନଙ୍କୁ ଯାଇ ବାଣିଜ୍ୟ ବ୍ୟବସାୟ କରୁଥିଲେ |
ସେଥିପାଇଁ ସାଧବବଧୂମାନେ ବୋଇତକୁ ବନ୍ଦାପନା କରି ବିଦାୟ ଦିଅନ୍ତି ଏବଂ ସର୍ବଶୁଭରେ ଫେରିଆସିବା ପାଇଁ କାମନା କରନ୍ତି | ସମୁଦ୍ରବକ୍ଷରେ ଯାତ୍ରା କରିବାପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଥାଏ |
ଜଳପଥରେ ପାଣିପାଗ ଅନୁସାରେ ଯାତ୍ରା କରିବା ପାଇଁ କାର୍ତ୍ତିକ ମାସର ପୂର୍ଣ୍ଣିମା ହିଁ ପ୍ରଶସ୍ତ ସମୟ କାରଣ କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ ସମୁଦ୍ର ପ୍ରାୟତଃ ଶାନ୍ତ ରହିଥାଏ, ଯାତ୍ରା ପାଇଁ ସହଜ ହୁଏ |
ଆଷାଢ଼ ମାସ ବେଳକୁ ବର୍ଷା ଆସିଯାଏ |
ତେଣୁ ଯେଉଁମାନେ ଵାଣିଜ୍ୟକରି ଯାଆନ୍ତି ପପ୍ରାୟତଃ ମାଘ ମାସ ବେଳକୁ କିମ୍ବା ବୈଶାଖ ମାସ ବେଳକୁ ଫେରି ଆସନ୍ତି |
ସେଥିପାଇଁ ପ୍ରାଚୀନ କାଳର ସ୍ମୃତି ମନେ ପକାଇ ଓଡ଼ିଶାର ଘରେ ଘରେ କଦଳୀ ପଟୁକାରେ ବା ସୋଲ କାଗଜରେ ଡଙ୍ଗା ତିଆରି କରି ନଦୀ, ପୋଖରୀ, ଜଳାଶୟମାନଙ୍କରେ ଭସାଇ ଥାଆନ୍ତି |
ଡଙ୍ଗା ଭସାଇବା ସମୟରେ କୁହନ୍ତି “ଆ କା ମା ବୈ, ପାନ ଗୁଆ ଥୋଇ, ପାନଗୁଆ ତୋର, ମାସକ ଧରମ ମୋର” |
ଏହା କହିବାର ତାତ୍ପର୍ଯ୍ୟ ହେଲା,
ଆ ଅର୍ଥ – ଆଷାଢ଼
କା ଅର୍ଥ – କାର୍ତ୍ତିକ
ମା ଅର୍ଥ – ମାଘ
ବୈ ଅର୍ଥ – ବୈଶାଖ
ପୁରାଣ ପରମ୍ପରାରେ ଏହି 4 ମାସ ପୁଣ୍ୟ ମାସ ଅଟେ | ଏହି କାର୍ତ୍ତିକାପୂର୍ଣ୍ଣିମା ବେଳକୁ ଅନନ୍ତ ଶୟନରୁ ଭଗବାନ ବିଷ୍ଣୁ ନିଦ୍ରା ପରିତ୍ୟାଗ କରି ଉଠନ୍ତି |
ତେଣୁ ତା ପୂର୍ବରୁ ଭଗବାନ ଶୟନ କରିଥିବା ସମୟରେ ଭକ୍ତମାନେ ଅନ୍ତତଃ ଏକମାସ ଭଜନ କୀର୍ତ୍ତନରେ ସମୟ ଅତିବାହିତ କରି ଧର୍ମ ଆଚରଣ କରିଥାଆନ୍ତି |
କାର୍ତ୍ତିକ ମାସକୁ ଶ୍ରେଷ୍ଠମାସ ବୋଲି ଅଭିହିତ କରାଯାଇଛି |
ବିଧବାମାନେ ହବିଷ ପାଳନ ପୂର୍ବକ ବ୍ରତ ଆଚରଣ କରନ୍ତି | କାର୍ତ୍ତିକ ପୂର୍ଣ୍ଣିମା ଦିନ ଯାହାକୁ କି ରାସ ପୂର୍ଣ୍ଣିମା କୁହାଯାଏ, ସମସ୍ତେ ରାଇ ଦାମୋଦରଙ୍କୁ ପୂଜାକରି ବ୍ରତ ଉଦଯାପନ କରନ୍ତି |
ସେଥିପାଇଁ ଆମିଷ ବର୍ଜନ ପୂର୍ବକ ଲୋକମାନେ ଧର୍ମାଚରଣ କରନ୍ତି |
ପ୍ରକୃତପକ୍ଷେ ନୀତିବାକ୍ୟ ଅନୁସାରେ
“ନ ମାଂସ ଭକ୍ଷଣେ ଦୋଷୋ, ନ ମଦ୍ୟ, ନ ମୈଥୁନେ | ପ୍ରବୃତ୍ତିରେଷା ଭୂତାନାଂ, ନିବୃତ୍ତିସ୍ତୁ ମହାଫଳମ ||”
ତେଣୁ ଅନ୍ତତଃ ଏକମାସ ପର୍ଯ୍ୟନ୍ତ ଧର୍ମାଚରଣ କରି ଆମିଷ ବର୍ଜନ କରିଥାଆନ୍ତି |
ଗଙ୍ଗାଧର ମେହେରଙ୍କ ଭାଷାରେ –
“ସମୟ ପଡ଼ିଲେ ଜୀବନପ୍ରବୃତ୍ତି
ଫୁଟି ପଡ଼ିଥାଏ ଆସି,
ପ୍ରବୃତ୍ତି ବର୍ଜିତ କେ ଅଛି ଜଗତେ
କି ଗୃହୀ କି ବନବାସୀ ||” (ପ୍ରଣୟବଲ୍ଲରୀ )
ସେହି ପ୍ରବୃତ୍ତିକୁ ଆଧାର କରି ଲୋକମାନେ ମାସ ସାରା ଭୋଜନରେ ଆମିଷ ବର୍ଜନ କରିଥିବାରୁ, କାର୍ତ୍ତିକପୂର୍ଣ୍ଣିମା ବାସି ଅର୍ଥାତ ମାର୍ଗଶିର ପ୍ରତିପଦା ଦିନ ଆମିଷ ଖାଇଥାନ୍ତି |
ଏହି ଦିନକୁ ଆମ ଉତ୍କଳରେ “ଛାଡ଼ଖାଇ” କୁହାଯାଏ |
କବିସୂର୍ଯ୍ୟ ବଳଦେବ ରଥଙ୍କ ଭାଷାରେ
“ଯାହାକୁ ଯାହା କରିଛି ଦଇବ
ତହୁଁ ନିକି ସେ ଅନ୍ୟଥା ହୋଇବ?”
ବାଘକୁ ମାଂସ ବ୍ୟତୀତ ଘାସ ଦେଲେ କଣ ସେ ଖାଇବ?
ବିଶାଳକାୟ ଦନ୍ତାବଳ କେବେ ଡାଳପତ୍ର ଛାଡ଼ି ମାଂସ ଖାଇବ କି ?
କିନ୍ତୁ ମନୁଷ୍ୟ ଶାକାହାରୀ ଓ ମାଂସାହାରୀ ଉଭୟ ହୋଇ ପାରିବ | ଏହି ପ୍ରବୃତ୍ତିକୁ ଆଶ୍ରୟକରି ଲୋକ କେହି ମାଛ ମାଂସ ଖାଆନ୍ତି ତ କେହି ଶାଗ ପଖାଳରେ ବଞ୍ଚିଥାନ୍ତି |
ପ୍ରକୃତପକ୍ଷେ କୁହାଯାଏ ଯିଏ କାର୍ତ୍ତିକମାସ ସାରା ଆମିଷ ଛାଡ଼ିପାରନ୍ତି ନାହିଁ ଅନ୍ତତଃ ମାସର ଶେଷ ପାଞ୍ଚ ଦିନ ଆମିଷ ନ ଖାଇ ଧର୍ମାଚରଣ କରିବା ଉଚିତ |
ଏହି ଶେଷ ପାଞ୍ଚଦିନକୁ ପଞ୍ଚକ କୁହାଯାଏ | ପଞ୍ଚକ ପାଳନରେ ଓ ହରିନାମ କୀର୍ତ୍ତନରେ ଲୋକମାନେ ଆମିଷ ଭୋଜନ ଭୁଲି ଯାଆନ୍ତି | ତେଣୁ ରାସ ପୂର୍ଣ୍ଣିମା ବାସି, ଛାଡ଼ିଥିବାଆମିଷ ଭୋଜନ
କରୁଥିବାରୁ ଏହା ଛାଡ଼ଖାଇ ନାମରେ କଥିତ | ଛାଡ଼ଖାଇ ପୂର୍ବରୁ ଯେଉଁ ପଞ୍ଚକ ବା ପଞ୍ଚୁକ ପାଳନ କହନ୍ତି, ସେହି ପଞ୍ଚକରେ ପାଞ୍ଚଟି ‘କ’ ଅକ୍ଷରରେ ଗଠିତ ଶବ୍ଦମାନଙ୍କୁ ଛାଡ଼ିବା ହିଁ ବୈଧ |
ସେହି ପାଞ୍ଚଟି ହେଲା –
କାମ, କ୍ରୋଧ, କପଟ, କଳହ ଓ କାଞ୍ଚନ |
ଏହି ପାଞ୍ଚ ‘କ’କୁ ଛାଡ଼ି ମାୟାରହିତ ହୋଇ କିଏ ବା ଅଛି ?
ପଞ୍ଚ କ କୁ ଛାଡ଼ି ମାୟା ରହିତ ହୋଇ କିଏ ବା ଅଛି ? ପଞ୍ଚ ‘କ’ କୁ ଛାଡ଼ି ଫଳମୂଳ ଖାଇ ବଞ୍ଚିବା ହିଁ ଛାଡ଼ଖାଇର ପ୍ରକୃତ ଧର୍ମ |
କିନ୍ତୁ ଜିହ୍ୱାଲାଳସାର ବଶବର୍ତ୍ତୀ ମାନବ ଜୀବହତ୍ୟା କରି ନାନା ପ୍ରକାର ଆମିଷଦ୍ରବ୍ୟ ଭକ୍ଷଣ କରିବାର ପରମ୍ପରା, ଏବେ ଛାଡ଼ଖାଇ ନାମରେ ପ୍ରସିଦ୍ଧ |
ଉପସ୍ଥାପନା : ପଣ୍ଡିତ ଚନ୍ଦ୍ରମଣି ପ୍ରଧାନ