Eosinophilia

Eosinophilia

ଆଜି ଆମେ ସ୍ବାସ୍ଥ୍ୟ ହିଁ ସମ୍ପଦର ଫର୍ଦ୍ଦରେ ଏମିତି ଏକ ରୋଗ ସମ୍ବନ୍ଧରେ ଜାଣିବା ଯାହା ସିଧାସଳଖ ରୋଗ ତ ନୁହେଁ କିନ୍ତୁ ଏହାର ବିକାରରେ ଶରୀରରେ ଅନେକ ପ୍ରକାର ରୋଗର ପ୍ରାଦୁର୍ଭାବ ବଢିଥାଏ ତଥା ମନୁଷ୍ୟ ବହୁତ କଷ୍ଟ ଭୋଗିଥାଏ…ଟି.ବି , କ୍ୟାନସର , ବ୍ଲଡ୍ ପ୍ରେସର , ଡାଇବେଟିସ୍ ଭଳି ଘରେ ଘରେ ପରିଚିତ ତଥା ପ୍ରତି ମଣିଷଙ୍କ ଉଚ୍ଚାରିତ ରୋଗ ମାନଙ୍କ ଭଳି ଏହି ରୋଗଟିକୁ ସମସ୍ତେ ଭୟର ସହିତ ଉଚ୍ଚାରଣ କରୁଛନ୍ତି…ସେଭଳି ଏକ ରୋଗ ହେଲା Eosinophilia…ସାଧାରଣ ଭାବରେ ବୁଝିବାକୁ ଗଲେ ଦେହରେ ଯେଉଁ ରୋଗ ପ୍ରତିରୋଧକ ଶକ୍ତିର ଅଭାବ ଜନିତ କଫରୋଗର ପ୍ରାଦୁର୍ଭାବ ହୋଇଥାଏ ତା’କୁ ଇଂରାଜୀରେ Eosinophilia ଆଖ୍ୟା ଦିଆଯାଇଛି … ॥
ଏହି ରୋଗ ବିଷୟରେ ଜାଣିବା ଆଗରୁ ତା ସମ୍ବନ୍ଧୀୟ କିଛି ତଥ୍ୟ ଆମ୍ଭମାନଙ୍କର ନିହାତି ଜାଣିବା ଆବଶ୍ୟକ…॥
ଆମ୍ଭେ ଖାଉଥିବା ଖାଦ୍ୟ ହଜମ ହେବା ପରେ ପ୍ରଥମେ ରସ ଏବଂ ତାପରେ ରକ୍ତ ଧାତୁରେ ପରିଣତ ହୋଇଥାଏ…ଉକ୍ତ ରସ ଧାତୁରୁ ରକ୍ତ ତିଆରି ହେବା ଅବସ୍ଥାରେ ଦୁଇପ୍ରକାର କଣିକାରେ ବିଭକ୍ତ ହୋଇଥାଏ ॥ଯଥା –
୧ – ଶ୍ବେତ କଣିକା(ଏହାର ବର୍ଣ୍ଣ ଶ୍ବେତ)
୨ – ରକ୍ତ କଣିକା(ଏହାର ବର୍ଣ୍ଣ ଲାଲ୍)
ଯେଉଁ ବ୍ୟକ୍ତି ବାରମ୍ବାର ଥଣ୍ଡା, ଜ୍ବର,କାସ,ଶ୍ବାସ, ସର୍ଦ୍ଦି ଆଦି କଫଯୁକ୍ତ ରୋଗମାନଙ୍କ ଦ୍ବାରା ଆକ୍ରାନ୍ତ ହୋଇଥାଆନ୍ତି ସେମାନେ ଚିକିତ୍ସକଙ୍କ ନିକଟକୁ ଚିକିତ୍ସା ପାଇଁ ଗଲେ ଚିକିତ୍ସକ ସେହି ରୋଗୀଙ୍କ ଠାରୁ ରକ୍ତ ନେଇ D.C ପରୀକ୍ଷା କରାଇଥାନ୍ତି…ଏହି D.C ର ଅର୍ଥ ହେଉଛି ରକ୍ତରେ ଥିବା ଶ୍ବେତ ରକ୍ତ କଣିକା ମାନଙ୍କର ଆପେକ୍ଷିକ ସଂଖ୍ୟା ନିରୂପଣ କରିବା…ଏହା ଶତକଡା ରେ ପ୍ରକାଶ କରାଯାଏ … ଏହି ପରୀକ୍ଷାରେ ଶ୍ବେତ କଣିକା ର ହାରବୃଦ୍ଧିରୁ ଆମେ ଇସିନୋଫିଲିଆ ବିଷୟରେ ଅବଗତ ହୋଇଥାଉ ॥
ରକ୍ତ ଦେଖିବାକୁ ଲାଲ୍ ରଙ୍ଗର ଅଟେ…ଏହାର କାରଣ ଏଥିରେ ଲାଲ୍ ରକ୍ତ କଣିକାମାନ ରହିଥାଏ…ଏଗୁଡିକ ଜୀବନ୍ତ କୋଷ…ଏମାନଙ୍କର କାମ ହେଲା ଆମ ଫୁସଫୁସ୍(Lungs)ରୁ ଅମ୍ଲଜାନ(Oxygen)ନେଇ ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗର କୋଷମାନଙ୍କୁ ଯୋଗାଇବା ଏବଂ ସେମାନଙ୍କ ଠାରୁ ଅଙ୍ଗାରକାମ୍ଲ(Carbon dioxide)ଆଣି ଫୁସଫୁସ୍ ରୁ ନିର୍ଗତ ବାୟୁ ନିଃଶ୍ୱାସ ରେ ଛାଡିବା…ଏହି ପ୍ରକ୍ରିୟା ଦ୍ବାରା ଶରୀର ଚାଲିବା, ଖେଳିବା,ବୁଲିବାଦି କାର୍ଯ୍ୟ କରିବା ପାଇଁ ଶକ୍ତି ପାଇବା ସହିତ ବଞ୍ଚି ମଧ୍ୟ ରହିଥାଏ ॥
ରକ୍ତରେ “ଶ୍ବେତ ରକ୍ତ କଣିକା” ନାମକ ଅନ୍ୟ ଏକ ଜୀବକୋଷ ମଧ୍ୟ ରହିଥାନ୍ତି…ଏଗୁଡିକ ଆମ ଶରୀରର ରକ୍ଷାକାରୀ ସୈନିକ ଅଟନ୍ତି…ଅର୍ଥାତ ଶରୀରକୁ ବିଭିନ୍ନ ପ୍ରକାର ରୋଗ ସୃଷ୍ଟିକାରୀ ଜୀବାଣୁଙ୍କ ଆକ୍ରମଣରୁ ରକ୍ଷାକରନ୍ତି ଏବଂ ରୋଗ ଜୀବାଣୁଙ୍କୁ ଧ୍ବଂସ କରିଦେଇ ଥାଆନ୍ତି…ଯେତେବେଳେ ଏହି ଶ୍ବେତ ରକ୍ତ କଣିକା ମାନେ ପରାଜିତ ହୁଅନ୍ତି ସେତେବେଳେ ଆମେ ରୋଗଗ୍ରସ୍ତ ହେଇଥାଉ ॥
ଏହି ଶ୍ବେତ ରକ୍ତ କଣିକା ସାଧାରଣତଃ ପାଞ୍ଚପ୍ରକାରର –

Differential W.B.C

1-Neutrophils – 40-70%
2-Eosinophils – 1-4 %
3-Basophils – 0-1 %
4-Lymphocyte- 20-40%
5-Monocyte. – 2-8 %

 ଏମାନଙ୍କ ମଧ୍ୟରୁ Neutrophils, Lymphocytes ଏବଂ Eosinophils ପ୍ରଧାନ ଅଟନ୍ତି...ଏକ ଘନ ମିଲି ଲିଟର ରକ୍ତରେ ୭ ରୁ ୧୦ ହଜାର ପର୍ଯ୍ୟନ୍ତ ସଂଖ୍ୟାରେ ଏଗୁଡିକ ରହିଥିବାର ଦେଖାଯାଏ...ଯଦି ଏହି ସାଧାରଣ ଅନୁପାତରେ ବ୍ୟତିକ୍ରମ ଘଟେ ତେବେ Eosinophilia ରୋଗ ହେଇଥିବାର ଜାଣିବାକୁ ହୋଇଥାଏ...ଅର୍ଥାତ ଯଦି କୌଣସି ବ୍ୟକ୍ତିର Eosinophils 2-4% ରହିବା ବଦଳରେ 20-30% ବଢିଯାଇଥାଏ ତେବେ ତାକୁ ହେଇଥିବା ରୋଗ Eosinophils କାରଣରୁ ହୋଇଛି ବୋଲି ବୁଝିବାକୁ ହୁଏ...॥

ନିଦାନ ବା କାରଣ –
ଏହି ରୋଗ ଏକ ପ୍ରକାର ରକ୍ତର ଦୁର୍ବଳତାରୁ ସୃଷ୍ଟି ହୋଇଥାଏ… ରକ୍ତରେ ଯେଉଁଯେଉଁ ପୋଷକତତ୍ତ୍ବ ରହିବା ଆବଶ୍ୟକ ତାହାର ଅଭାବ ପରିଲକ୍ଷିତ ହେଲେ ଶରୀରରେ ରୋଗ ଉତ୍ପନ୍ନ ହୋଇଥାଏ…ଯେଉଁମାନଙ୍କ ଶରୀରରୁ ରୋଗ ପ୍ରତିରୋଧକ ଶକ୍ତି କମିଯିବା ଫଳରୁ ସାଧାରଣ ଥଣ୍ଡା ପବନ ସେବନ ମାତ୍ରେ, ଥଣ୍ଡା ଦ୍ରବ୍ୟ ଭକ୍ଷଣ ମାତ୍ରେ, ଦ୍ରୁତ ଯାନ ଗମନ,ଅମ୍ଲରସ ସେବନ,ରାତ୍ରୀ ସମୟରେ ଦହି,ବରଫ ଜଳ ସେବନ, ଅଧିକ ସୂର୍ଯ୍ୟ ତାପରେ ଭ୍ରମଣ, ପରିଶ୍ରମ ବା ବ୍ୟାୟାମ କରିବା ପରେପରେ ଶୀତଳ ଜଳ ସ୍ନାନ ବା ପାନ,ବର୍ଷାରେ ତିନ୍ତିବା,ନଦୀ ଜଳରେ ଅଧିକ ସ୍ନାନ, ଦିବା ନିଦ୍ରା, ରାତ୍ର ଜାଗରଣ ହେତୁ ଯେଉଁସବୁ ସର୍ଦ୍ଦି,ଜ୍ବର,କାସ,ଶ୍ବାସ, କଫ ବିକାର ହୁଏ ତାହାକୁ ସବୁ ଇସିନୋଫିଲିଆ ଜନିତ ରୋଗ ବୋଲି ଗ୍ରହଣ କରାଯାଇଥାଏ…ଅର୍ଥାତ ରକ୍ତ ପରୀକ୍ଷା କଲେ ରକ୍ତରେ ଇସିନୋଫିଲିଆର ଅନୁପାତ ସାଧାରଣ ଅନୁପାତ ଠାରୁ ଅଧିକ ବୃଦ୍ଧି ପାଇଥିବାର ଦେଖାଯାଇଥାଏ…ଯଦି ଏହି ରୋଗ ପୁରାତନ ହୁଏ ବା ବାରମ୍ବାର ଆକ୍ରମଣ କରିଥାଏ ତେବେ ତାହାର ଉପଦ୍ରବରୁ କୃମି, କାଛୁ,ଶ୍ବାସ,କାସ,ସର୍ଦ୍ଦି,ଦୁର୍ବଳତା ଆଦି ରୋଗ ଶରୀରକୁ ଆକ୍ରମଣ କରି ରୋଗୀକୁ ଅନେକ କଷ୍ଟ ପ୍ରଦାନ କରିଥାଏ ॥

ଲକ୍ଷଣ –
ଏହି ରୋଗରେ ସାମାନ୍ୟ ଧରଣର ସର୍ଦ୍ଦି ହେବା ସହିତ ଜ୍ବର, କାସ ଏବଂ ଶ୍ବାସ ଜନିତ ପୀଡା ଦେଖାଯାଇଥାଏ…ନାସା ସର୍ବଦା ଅବରୋଧ ହୋଇଥାଏ …ସାଧାରଣ ଚିକିତ୍ସା ରେ କାସରୁ ଉପଶମ ମିଳିନଥାଏ…ଭୋଜନପରେ ପେଟ ଭାରୀ ବୋଧହୁଏ ଏବଂ ଶ୍ବାସ ରୋଧ ଅନୁଭବ ହୋଇଥାଏ…କାହାର ଜ୍ବର ହୁଏ ନାହିଁ ଆଉ କେଉଁ ରୋଗୀର ଜ୍ବର ସବୁବେଳେ ଲାଗିରହେ…॥ ଏସବୁ ଲକ୍ଷଣ ଥିଲେ ରକ୍ତ ପରୀକ୍ଷାରୁ ଇସିନୋଫିଲ୍ ସାଧାରଣ ଅନୁପାତରୁ ବଢିଥିବାର ଦେଖାଯାଏ ॥

ଚିକିତ୍ସା ବିଧାନ –
ପ୍ରଥମେ ଶରୀରସ୍ଥ ସପ୍ତଧାତୁ(ରସ,ରକ୍ତ,ମାଂସ,ମେଦ,ଅସ୍ଥି, ମଜ୍ଜା ଏବଂ ଶୁକ୍ର)ମାନଙ୍କୁ ଉପଯୁକ୍ତ ମାର୍ଗରେ ରକ୍ଷା ପୂର୍ବକ ତଥା ସପ୍ତମ ଧାତୁ ଶୁକ୍ର ବା ବୀର୍ଯ୍ୟକୁ ସଂଯମତା ପୂର୍ବକ ଧାରଣକଲେ ଶରୀରର ସମସ୍ତ ଶକ୍ତି ବୃଦ୍ଧିହୋଇ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହୋଇଥାଏ…ସମସ୍ତ ଧାତୁ ସଚାରୁ ରୂପେ ପାଳନ ପୋଷଣ ହେତୁ ଶରୀରସ୍ଥ ପାଚକାଗ୍ନିର ବଳ ବୃଦ୍ଧି ହୋଇଥାଏ ଏବଂ ଶରୀର ଗ୍ରହଣ କରୁଥିବା ସମସ୍ତ ଖାଦ୍ୟ ଉତ୍ତମ ରୂପେ ପାଚନ ହୋଇ ଶରୀର ଉତ୍ତମ ରୂପେ ପ୍ରତିପୋଷଣ ହୋଇଥାଏ…ଫଳରେ ଶରୀରରେ ଇସିନୋଫିଲିଆ ପୋଷକ ତତ୍ତ୍ବର ଅନୁପାତରେ ବୈଷମ୍ୟ ଆସିବ ନାହିଁ କି ତତ୍ ଜନିତ ସୃଷ୍ଟି କଫ ଜନିତ ଥଣ୍ଡା, ସର୍ଦ୍ଦି,କାସାଦି ରୋଗ ଆକ୍ରମଣ କରିବ ନାହିଁ ॥

ଶାସ୍ତ୍ରୀୟ ଔଷଧ – ନାରଦୀୟ ଲକ୍ଷ୍ମୀ ବିଳାସ ରସ,ମହା ଲକ୍ଷ୍ମୀବିଳାସ ରସ , କଫକେତୁ ରସ,ତ୍ରିଭୁବନ କୀର୍ତ୍ତିରସ, ଚନ୍ଦ୍ରାମୃତ ରସ,ଦ୍ରାକ୍ଷାରିଷ୍ଟ,ଚ୍ୟବନପ୍ରାଶ୍ ଆଦି ଯୋଗ ବିଭିନ୍ନ ଉପଦ୍ରବ ଜନିତ ରୋଗର ଲକ୍ଷଣ କୁ ଦେଖି ସେବନ କରିବା ଦ୍ବାରା ଏହି ଇସିନୋଫିଲିଆ ରୋଗରୁ ରକ୍ଷା ମିଳିଥାଏ ।

Related posts