ପୁରୀ ଶ୍ରୀ ମନ୍ଦିର ଓ ଅଗ୍ରପୂଜ୍ୟ ଶ୍ରୀ ଗଣେଶ

PURI_JAGANATHA_TEMPLE,_PURI,_ORISSA

“ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା ।
ଭିନ୍ନା ଭିନ୍ନ ନ କର୍ତ୍ତବ୍ୟଂ ପଞ୍ଚଦେବ ନମୋସ୍ତୁତେ ।।”

ପୁରାଣରେ ଏହି ପଞ୍ଚଦେବତା(ଗଣେଶ, ନାରାୟଣ, ରୁଦ୍ର, ଅମ୍ବା, ସୂର୍ଯ୍ୟ)ଙ୍କୁ ସର୍ବମାନ୍ୟ ବା ସମସ୍ତ କ୍ଷେତ୍ରରେ ପୂଜାରେ ଆଦ୍ୟ ବୋଲି ଧରାଯାଏ ଏହି ମାନଙ୍କ ମଧ୍ୟରୁ ଅଗ୍ରପୂଜ୍ୟ ହେଲେ ଶ୍ରୀ ଗଜାନନ। ବିଘ୍ନବିନାଶନ ଶଙ୍କଟନାଶନ ଅଗ୍ରପୂଜ୍ୟ ଶ୍ରୀ ଗଜାନନ! ହିନ୍ଦୁ ଘରର ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ଖୋଜାପଡେ ଅଗ୍ରପୂଜ୍ୟ ବକ୍ରତୁଣ୍ଡଙ୍କୁ,କାରଣ ପୁରାଣ ମତ ଦିଏ ସେ ଅଗ୍ରପୂଜ୍ୟ ଏବଂ ଗଣ ମାନଙ୍କର ସେନାପତି ଓ ପ୍ରତ୍ୟେକ ଦେବଦେବୀ ବା ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ପୂର୍ବରୁ ତାଙ୍କୁ ଆରାଧନା କଲା ସେ କର୍ମ ବିନା ବାଧ ବିଘ୍ନରେ ସୃଚାର ରୂପେ ହୋଇଥାଏ। ଶ୍ରୀ ଗଣେଶ ଏକ ଅନନ୍ୟ ଶରୀର ଯାହାଙ୍କର ଶରୀର ମାନବ କିନ୍ତୁ ମସ୍ତକ ହସ୍ତୀର। ବିଦ୍ୟା ବୁଦ୍ଧିର ଦେବତା ଶ୍ରୀ ବିଘ୍ନେଶ ସମସ୍ତ ଛାତ୍ର ଛାତ୍ରୀ ମାନେ ନିଜର ଜୀଵନରେ ଗଜାନନଙ୍କୁ ହିଁ ଈଷ୍ଟ କରିଥାନ୍ତି। ତେବେ ସେ ଯାହା ହେଉ ନା କାହିଁକି ସେ ହିଁ ସମସ୍ତ କର୍ମର ଅୟମାରମ୍ଭ କରନ୍ତି ଓ ତାଙ୍କ ନାମ ଧରି ଯିଏ ଯେଉଁ କର୍ମ କରେ ସେ ସେଥିରେ ଫଳପ୍ରଦ ହୋଇଥାନ୍ତି।

ମୁଷିକରାଜ ଉପରେ ଆରୁଢ ହୋଇ ଭ୍ରମଣ କରନ୍ତି ଏକଦନ୍ତ।ତେବେ ଆମେ ତ ବହୁ ଗଣେଶଙ୍କ ସ୍ବରୂପ ଦେଖିଛେ ଓ ତାଙ୍କର ପୌରାଣିକ ଓ ଐତିହାସିକ କିମ୍ବଦନ୍ତୀ ଶୁଣିଛେ କିନ୍ତୁ ଆଜି ଆମେ ଦେଖିବା ଏକ ନୂତନ ଦିଗରେ ଗିରିଜାସୂତଙ୍କୁ। ଏ ଓଡି଼ଶା ପୁରୁଷୋତ୍ତମ କ୍ଷେତ୍ରରେ ଆରାଧ୍ୟ ବା ଇଷ୍ଟ ହେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ତେବେ ଶ୍ରୀମନ୍ଦିର ସହ ବା ଶ୍ରୀମନ୍ଦିରସ୍ଥ ବିଘ୍ନରାଜଙ୍କ ବିଶୟରେ। ଶ୍ରୀ ମନ୍ଦିରରେ ସମୂହ ୪୫ଟି ଶ୍ରୀ ଗଣେଶ ବିଗ୍ରହ ରହିଛି ପାର୍ଶ୍ବ ଦେବତା ଓ ମୂଳ ଦେବତା ମିଶିକରି, ବାହାର ବେଢାରେ ୨୩ ଓ ଭିତର ବେଢାରେ ୨୨। ଆମେ ଆଲୋଚନା କିଛି ମୂଖ୍ୟ ଓ ମୂଳ ଗଣେଷଙ୍କ ବିଶୟରେ କରିବା।

ଆଦ୍ୟ ଗଣେଶ:
ପ୍ରତ୍ୟେକ ପୂଜାରେ ଅଗ୍ରପୂଜ୍ୟ ଗଣେଶ ସେ ମୁର୍ତ୍ତି ହୁଅନ୍ତୁ ବା କଳସ ହୁଅନ୍ତୁ। ତେବେ ଯେତବେଳେ ମହାରାଜ ଇନ୍ଦ୍ରଦ୍ୟୁମ୍ନ ମହାପ୍ରଭୁଙ୍କ ପାଇଁ ମନ୍ଦିର ତାଳୋଇବା ପାଇଁ ଚିନ୍ତାକଲେ ସେହି କାର୍ଯ୍ୟରେ ମଧ୍ୟ ପ୍ରଥମେ ଗଣେଶଙ୍କର ପୂଜା ଆବଶ୍ୟକ ଥିଲା,ତାଙ୍କ ଠାରୁ ହିଁ ଶୁଭ ପଡି଼ଲା। ତେବେ ଶ୍ରୀକ୍ଷେତ୍ରର ଅଷ୍ଟଶମ୍ଭୁ ଓ ପଞ୍ଚପାଣ୍ଡବ ବା ପଞ୍ଚମହାଦେବଙ୍କ ମଧ୍ୟରେ ଅନ୍ୟତମ କପାଳମୋଚନ ମନ୍ଦିରଠାରେ ହିଁ ଏହି ଆଦ୍ୟ ବା ଆଦି ଗଣେଶ ବିରାଜମାନେ ଯେଉଁଠାରେ ଶ୍ରୀମନ୍ଦିର ନିମନ୍ତେ ଶୁଭ ଦିଆଯାଇ ମନ୍ଦିର ନିର୍ମାଣ କର୍ମ ଆରମ୍ଭ ହୋଇଥାଲା। ପ୍ରଥମେ ବା ଅଗ୍ରରେ ପୂଜା ହୋଇଥିବାରୁ ଓ ମୂଳରୁ ପୂଜା ହୋଇ ଆସୁଥିବାରୁ ତାଙ୍କର ନାମ ଆଦ୍ୟ ବା ଆଦି ଗଣେଶ।

ଗୁମୁଟ ଗଣେଶ:
ଆମେ ଶୁଣିଛେ ସମସ୍ତକର୍ମ କରିବା ପୂର୍ବରୁ ବିଘ୍ନେଶଙ୍କୁ ସ୍ମରଣ କଲେ ସମସ୍ତ ବିଘ୍ନ ଦୂରୀଭୁତ ହୁଏ। ଏହି ପ୍ରକାରାନ୍ତେ ଶ୍ରୀମନ୍ଦିର ପ୍ରବେଶ ପଥ ସିହଂଦ୍ବାରସ୍ଥ ଗୁମୁଟ କାନ୍ଥରେ ଏକ ଗଜାନନଙ୍କ ସୁନ୍ଦର ପଟ୍ଟଚିତ୍ର ଅଙ୍କନ କରାଯାଇଛି। ଏହାର କାରଣ ହେଉଛି ମହାପ୍ରଭୁଙ୍କୁ ଦର୍ଶନ କରିବା ପୂର୍ବରୁ ଏହି ଗଣେଶଙ୍କୁ ଦର୍ଶନ କଲେ ଦର୍ଶନ ସମୟରେ କୌଣସି ବିଘ୍ନ ଆସିବ ନାହିଁ।

ରୋଷ ଗଣେଶ:
ବିଶ୍ବର ସବୁଠାରୁ ବଡ଼ ରୋଷଘର ହେଲା ମହାପ୍ରଭୁଙ୍କର ରୋଷଘର ଯେଉଁଠାରେ ରହିଛି ୨୪୦ଟି ଚୁଲା ଓ ଚୁଲି ଯାହାକି ଆବାହମାନକାଳର ଓ ଏଠାରେ ସୋମ ବଂଶୀୟ ଶାସନ କାଳର ଚୁଲି ମଧ୍ୟ ରହିଛି। ତେବେ ମହାପ୍ରଭୁ ହେଲେ ଖାଦ୍ୟ ପ୍ରିୟ ତେଣୁ ଏତେବଡ଼ ରୋଷଘରର ପ୍ରୟୋଜନ। ହେଲେ ଏହି ରୋଷେଇ ଘରେ ରୋଷ ଆରମ୍ଭ କରିବା ପୂର୍ବରୁ ମଧ୍ୟ ଶ୍ରୀ ଗଣେଷଙ୍କୁ ଆରାଧନା ଓ ପୂଜନ କରାଯାଏ ଯେପରି ରୋଷ ସମୟରେ କୌଣସି ବାଧା ବିଘ୍ନ ନ ଆସୁ ତେଣୁ ପ୍ରତ୍ୟେହ ସୁଆର ମହାସୁଆର ସେବକ ଗଣ ଶ୍ରୀ ଗଣେଶଙ୍କୁ ପ୍ରଣାମ କରି ଆରମ୍ଭ କରିଥାନ୍ତି। ଏହି ଗଣେଷ ଏହି ରୋଷଶାଳାରେ ହିଁ ବିଦ୍ୟମାନ

ଭଣ୍ଡ ବା କାଞ୍ଚି ବା ଉଚ୍ଛିଷ୍ଟ ଗଣପତି:
ଏହି ଘଟଣାଟି ହେଉଛି କାଞ୍ଚି ଅଭିଯାନ ସମୟର ଯେତବେଳେ କାଞ୍ଚି ରାଜା ଗଜପତି ପୁରୁଷୋତ୍ତମ ଦେବଙ୍କ ଛେରା ପହଁରା ନୀତି ବିଶୟରେ ଜାଣି ତାଙ୍କୁ ଚଣ୍ଡାଳ କହିଥିଲେ,ଗଜପତି ମହାରାଜ ଏହା ଶ୍ରୀ ଜଗନ୍ନାଥଙ୍କ ଅପମାନ କହି ଯୁଦ୍ଧ ଘୋଷଣା କରିଥିଲେ ଯାହା ଫଳରେ ପ୍ରଥମେ ଗଜପତି ମହାରାଜ ପରାସ୍ତ ହୋଇଥିଲେ। କାରଣ କାଞ୍ଚି ରାଜାଙ୍କର ଇଷ୍ଟ ଥିଲେ ଉଚ୍ଛିଷ୍ଟ ଗଣପତି ଯାହାଙ୍କ ଉପରେ ତାଙ୍କର ପ୍ରଗାଢ଼ ବିଶ୍ବାସ ଥିଲା ଗଣପତି ହିଁ ତାଙ୍କୁ ଯୁଦ୍ଧରେ ସାହାର୍ଯ୍ୟ କରନ୍ତି ବୋଲି ସେ କୁହନ୍ତି। ତେଣୁ ଏପରେ ଗଜପତି ମହାରାଜ ହାର ନମାନି ମହାପ୍ରଭୁଙ୍କୁ ସମସ୍ତ କଥା କହିଲେ ଓ ତା ପରେ ପୁନଶ୍ଚ ଯୁଦ୍ଧର ଘୋଷଣା କଲେ ଯେଉଁ ଉଭୟ ବଡ଼ଠାକୁରେ ଓ ମହାପ୍ରଭୁ କଳା ଘୋଡା ଓ ଧଳା ଘୋଡାରେ ବସି ଯୁଦ୍ଧ ଲଢିବାକୁ ଯାଇଥିଲେ ଓ ସେ ଯୁଦ୍ଧ ଗଜପତି ବିଜୟ ଲାଭ ମଧ୍ୟ କରିଥିଲେ। ଏହା ପରେ ପରେ ଗଜପତି କ୍ଷେତ୍ର ଫେରିବା ସମୟରେ ତାଙ୍କର ଭାବି ପତ୍ନୀ କାଞ୍ଚି ରାଜଜେମା ପଦ୍ମାବତୀ ଅଜସ୍ର ସୁନା ରୂପା ଓ ରାଜାଙ୍କର ଈଷ୍ଟ ଭଣ୍ଡ ଗଣେଷଙ୍କୁ ମଧ୍ୟ ସାଙ୍ଗରେ ନେଇ ଆସିଥିଲେ। ଓ ପରେ ପରେ ଏହି ମୁର୍ତ୍ତିକୁ ଶ୍ରୀମନ୍ଦିରର ଭିତର ବେଢାରେ ସ୍ଥାପନ କରାଗଲା ଏହାକୁ କାଞ୍ଚିରୁ ଆଣିଥିବାରୁ ଏହାଙ୍କର ନାମ ମଧ୍ୟ କାଞ୍ଚି ଗଣେଶ ଓ ଏହା ଆଜି ମଧ୍ୟ ଇତିହାସର ସେ ସ୍ମୃତିକୁ ବହନ କରୁଛି।

ବଟ ଗଣେଷ:
କଳ୍ପବଟ ମୂଳରେ ବା ଏହି ନିମ୍ନରେ ଥିବାରୁ ନାମଟି ବଟ ଗଣେଶ ଓ ଏହି ବିଗ୍ରହ ଦକ୍ଷୀଣ ଅଭିମୁଖୀ ।ଶ୍ରୀମନ୍ଦିର ଭିତର ବେଢା଼ରେ ଥିବା ସମସ୍ତ ଗଣେଶଙ୍କ ମଧ୍ୟରେ ବଟ ଗଣେଶ ପ୍ରଥମ ଓ ମୂଖ୍ୟ ଅଟନ୍ତି । ସେ କଳ୍ପ ଗଣେଶ, ଚିନ୍ତାମଣି ଗଣେଶ, ବଟ ଗଣେଶ ଓ ସିଦ୍ଧ ଗଣେଶ ନାମରେ ପୂଜା କରାଯାଏ। ଶ୍ରୀ ଗଣେଶଙ୍କ ଏହି ବଟ ଗଣେଶ ମନ୍ଦିର ଶ୍ରୀଜଗନ୍ନାଥଙ୍କ ମନ୍ଦିର ଠାରୁ ପ୍ରାଚୀନ । ୭୦୦ ବର୍ଷର ପୁରାତନ ବୋଲି ଅନୁମାନ କରାଯାଏ । ଏହି ପାଖରେ ହିଁ ଥାଏ ରାହାସ ମଣ୍ଡପ ଯେଉଁଠାରେ ଦିନେ ପ୍ରତି ଓଡି଼ଆ ଘରର ପୁରାଣ ଓଡି଼ଆ ଭାଗବତକୁ ଜଗନ୍ନାଥ ଦାଶ ରଚନା କରିଥିଲେ।

ନୃତ୍ୟ ଗଣପତି ବା ନାଟୁଆ ଗଣେଶ:
ଶ୍ରୀକ୍ଷେତ୍ର ଅଧୀଶ୍ବରୀ ମାଆ ବିମଳାଙ୍କ ଅଗ୍ରରେ ଦକ୍ଷୀଣ ଦୀଗକୁ ମୁଖ ଥାଇ ଏ ମନ୍ଦିର ଓ ଏହା ଭିତର ବେଢାରେ। ଅଷ୍ଟଭୂଜ ଗଣପତି ମୂଷିକ ଉପରେ ନୃତ୍ୟରତ ଭଙ୍ଗୀ ଥିବାରୁ ଏହାଙ୍କର ନାମ ନୃତ୍ୟ ଗଣପତି। ଏ ସ୍ବରୁପ ମଧ୍ୟ ରଥରେ ପାର୍ଶ୍ବ ଦେବତା ଭାବରେ ବ୍ୟବହାର ହୋଇଥାନ୍ତି।

ଗଣେଶ ଚତୁର୍ଥୀ ନୀତି

ତେବେ ଏ ଥିଲା ସଂକ୍ଷୀପ୍ତରେ ଶ୍ରୀମନ୍ଦିର ସହ ଜଡି଼ତ ବା ବେଢାସ୍ଥିତ କିଛି ମୁଖ୍ୟ ଗଣେଶଙ୍କ ଐତିହ ଓ ମନ୍ଦିର ବିଶୟରେ। ତେବେ ଏବେ ଆସନ୍ତୁ ଜାଣିବା ଗଣେଶ ଚତୁର୍ଥୀ ଦିନ ଶ୍ରୀମନ୍ଦିରରେ କଣ ସବୁ ସ୍ବତନ୍ତ୍ର ନୀତି ହୋଇଥାଏ।ଭାଦ୍ରବ ଶୁକ୍ଳ ଚତୁର୍ଥୀରେ ବଟ ଗଣେଶଙ୍କ ମନ୍ଦିରରେ ବିନାୟକ ଚତୁର୍ଥୀ ମହାବ୍ରତ ପାଳନ କରାଯାଏ।ସନ୍ଧ୍ୟା ଧୂପ ସରିବା ପରେ ବଟ ଗଣେଶ , ନୃତ୍ୟ ଗଣେଶ , ଭଣ୍ଡ ଗଣେଶଙ୍କ ମନ୍ଦିରରେ ଶୀତଳ ଭୋଗ ଓ ବନ୍ଦାପନା ନୀତି ହୋଇଥାଏ।
ମୁଳିଆ ସୁଆଁସିଆ ଦେଇଥିବା ଭଦ୍ରାସନ ଉପରେ ବେହେରଣ କରଣମାନଙ୍କ ମାଦଳାପାଞ୍ଜି ରଖା ଯାଇ ତହିଁ ଉପରେ ପତନି ଓ ପୁଷ୍ପମାଲ୍ୟ ଲାଗି ପୂର୍ବକ ଶୀତଳ ଭୋଗ ଓ ବନ୍ଦାପନା ସରିବା ପରେ ପ୍ରଶାସନ ପକ୍ଷରୁ ଯୋଗାଇଥିବା ୨୨ଟି ନଡ଼ିଆ ଉକ୍ତ ବେହେରଣ କରଣ ମାନେ ଭାଙ୍ଗିଥାନ୍ତି ଓ ଏହାକୁ ପ୍ରସାଦ ରୂପେ ସେବନ ମଧ୍ୟ କରାଯାଇଥାଏ।

ତେବେ ଏ ସମସ୍ତ ତଥ୍ୟ ଦେଖିଲା ପରେ ଆମେ ଜାଣିଲେ ଶ୍ରୀମନ୍ଦିରରେ ମଧ୍ୟ ଶ୍ରୀବିନାୟକଙ୍କର ବହୁ ପ୍ରଭାବ ରହିଛି। ଓ ଏଠାରେ ମଧ୍ୟ ଗାଣପତ୍ୟ ପ୍ରଭାବ ପଡିଛି। ତେବେ ସେ ଯାହା ହେଉ ନା କାହିଁକି ଏ କ୍ଷେତ୍ର ସ୍ବତନ୍ତ୍ର ଓ ଏ ଠାକୁର ମଧ୍ୟ ସ୍ବତନ୍ତ୍ର ତେଣୁ ସମସ୍ତ ପ୍ରଭାବ ଏହି କ୍ଷେତ୍ରରେ ରହିଅଛି।

ଉପସ୍ଥାପନା: ଆଫତାବ

Related posts